କନକ ବ୍ୟୁରୋ: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରଠାରେ ଥିବା ନିର୍ମାଲ୍ୟ ପ୍ଲାଜା ନାମକ ଓୟ ହୋଟେଲରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବତୀ ଜଣକ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ବୀର ବଳଭଦ୍ରପୁର ଅଞ୍ଚଳର ଅଙ୍ଗନାବାଡି ଶିକ୍ଷୟିତ୍ରୀ ବୋଲି ଜଣାପଡିଛି ।
ଏକ ଜନ୍ମଦିନ ଭୋଜିରେ ଯୋଗ ଦେବାକୁ ଯିବେ ବୋଲି ପରିବାର ଲୋକଙ୍କୁ ଜଣାଇ ସେ ଘରୁ ବାହାରିଥିଲେ । ସଂଧ୍ୟାରେ ଜଣେ ଯୁବକଙ୍କ ସହ ଉକ୍ତ ଓୟ ହୋଟେଲରେ ଆସି ରହିଥିଲେ । ଶୁକ୍ରବାର ରାତ୍ର ୯ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହେବା ପରେ ସାଥିରେ ଥିବା ଯୁବକ ଜଣକ ମଧ୍ୟରାତ୍ରରେ ଯୁବତୀ ଜଣକ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ପୋନ କରି କହିଥିଲେ । ତେବେ ବ୍ରହ୍ମପୁର ବଡ ମେଡିକାଲ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ଗୋଳନ୍ଥରା ଥାନା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଥିରେ ଥିବା ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ଅଟକ ଯୁବକ ଜଣକ ରାୟଗଡା ଜିଲ୍ଲାର ମୁଳବାସିନ୍ଦା ହୋଇଥିଲେ ହେଁ ଭୂବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହନ୍ତି । ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫେସ୍ ବୁକ୍ ମାଧ୍ୟମରେ ଗତ ଏକ ବର୍ଷ ହେଲା ସଂପର୍କ ଗଢି ଉଠିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।