ଜ୍ୱରରୁ ଉଠିଲେଣି ଜଗନ୍ନାଥ, ଦର୍ଶନ କରିବ ଏ ଜଗତ । କାଲି ନବଯୌବନ ଦର୍ଶନ । ଶ୍ରୀକ୍ଷେତ୍ର ଚଳଚଞ୍ଚଳ ।

252

କନକ ବ୍ୟୁରୋ: ପୁରୀରେ ବଢୁଛି ଗହଳି । ୧୪ ଦିନ ଧରି ଅସୁସ୍ଥ ରହିବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । କାଲି ସକାଳୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ । କୋଭିଡ ଯୋଗୁଁ ଦୁଇବର୍ଷ ହେଲା ଭକ୍ତ ନବଯୌବନ ଦର୍ଶନ କରିପାରିନଥିଲେ । କାଳିଆ ସାଆନ୍ତର ନବଯୌବନ ବେଶକୁ ସ୍ୱଚକ୍ଷୁରେ ଦେଖିବାରୁ ବଞ୍ଚିତ ଥିଲେ । ଆଉ କାଲି ଠାକୁରଙ୍କ ନବଯୌବନ ଦର୍ଶନ କରିବେ ଭକ୍ତ ।

ସକାଳ ୮ଟାରେ ତାଟି ଫିଟିବା ପରେ ୧ ଘଣ୍ଟା ରହିବ ପାରମାଣିକ ଦର୍ଶନ । ସକାଳ ୯ଟାରୁ ରାତି ସାଢେ ୧୨ଟା ଯାଏଁ ସର୍ବସାଧାରଣ ଦର୍ଶନ ହେବ । ନୀତିକାନ୍ତି ଯୋଗୁଁ ମଝିରେ ମଝିରେ ଦର୍ଶନ ବନ୍ଦ ରହିବ । ତା ପରଦିନ ଅର୍ଥାତ ଗୁରବାର ଦିନ ଉଭାଯାତ୍ରା ଥିବାରୁ ସକାଳ ୪ଟାରୁ ସନ୍ଧ୍ୟା ୫ଟା ଯାଏଁ ରହିବ ସର୍ବସାଧାରଣ ଦର୍ଶନ । ଏସବୁ ଦେଖିବାକୁ ପୁରୀରେ ପହଞ୍ଚୁଛନ୍ତି ଭକ୍ତି । ବଡଦାଣ୍ଡରେ ଲାଗୁଛି ଗହଳି ।

ସେପଟେ ଆଉ ଦୁଇଦିନ ପରେ ଘୋଷ ଯାତ୍ରା । ଏଥର ରଥଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ରହିଛି ସମ୍ଭାବନା । ଏଥିପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏନେଇ ୧୦ ଲକ୍ଷ ମାସ୍କ ଯୋଗାଇ ଦେବେ ରାଜ୍ୟ ସରକାର । କେବଳ ସେତିକି ନୁହେଁ କରୋନା ଲକ୍ଷଣ ଥିଲେ ଘରେ ରହି ରଥଯାତ୍ରା ଦେଖିବାକୁ ପରାମର୍ଶ ଦିଆଯାଇଛି ।