ପୁରୀରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ । ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ ପୋଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ଗିରଫ, ଅନ୍ୟ ୩ ସହଯୋଗୀ ଅଟକ

ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ବିକ୍ଷୋଭ

672

କନକ ବ୍ୟୁରୋ: ପୁରୀରେ ନାବାଳିକାକୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ବହିଷ୍କୃତ ପୋଲିସ୍ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଗିରଫ । ପକସୋ ଆଇନରେ ଜିତେନ୍ଦ୍ରକୁ ଗିରଫ କରିଛି ପୋଲିସ୍ । ଏହା ସହିତ ଆଉ ତାର ୩ଜଣ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ନିମାପଡାରୁ ଉଠାଇ ନେଇ ପୁରୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ପୁରୀ କୁମ୍ଭାର ପଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ କାକଟପୁର ଅଂଚଳର ପୀଡିତା ଗତକାଲି ଭୁବନେଶ୍ୱରରୁ ଏକ ବସ୍ରେ ଘରକୁ ଫେରୁଥିଲେ । ଏତିକିବେଳେ ନିମାପଡା ଛକରେ ଏକ ହୋଟେଲରେ ଖାଉଥିଲେ ଯୁବତୀ । ଖାଇ ସାରି ଆସିବା ବେଳକୁ ବସଟି ଚାଲିଯାଇଥିଲା । ଆଉ ଏକ ବସକୁ ଛକରେ ଅପେକ୍ଷା କରିଥିଲେ ଯୁବତୀ । ଏହି ସମୟରେ ଜଣେ ପୋଲିସ କନେଷ୍ଟବଳ ସମେତ ୪ଜଣ ଯୁବତୀଙ୍କୁ ଘରେ ଛାଡି ଦେବାକୁ କହି କାରରେ ବସାଇ ନେଇଥିଲେ । ମାତ୍ର କାରଟି କାକଟପୁର ପରିବର୍ତେ ପୁରୀ ମେରାଇନ ରୋଡରେ ଯିବାରୁ ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିଥିଲେ । କିନ୍ତୁ ସେମାନେ ଯୁବତୀଙ୍କ ପ୍ରତିବାଦକୁ ନଶୁଣି ତାଙ୍କୁ ପୁରୀ ନେଇ ଆସିଥିଲେ ।

ପୀଡିତାଙ୍କ ଅଭିଯୋଗ ଅନୁସାରେ, ଅପରାହ୍ନ ପ୍ରାୟ ୩ ଟା ସମୟରେ ପୁରୀ କୁମ୍ଭାରପଡା ଥାନା ଝାଡେଶ୍ୱରୀ କ୍ଲବ ନିକଟ ଏକ କ୍ୱାର୍ଟରରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ବହିଷ୍କୃତ ପୋଲିସ କର୍ମଚାରୀ, ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିବା କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଏକ କୋଠରୀରେ ତାଲା ପକାଇ ରଖାଯାଇଥିଲା । ହେଲେ କୌଣସି ମତେ ସେଠାରୁ ସେ ଖସି ପଳାଇ ଆସିଥିଲେ । ତାପରେ କୁମ୍ଭାରପଡା ଥାନାରେ ଅଭିଯୋଗ କରିଥିଲେ ।

ସେପଟେ, ଶିଶୁ ଭବନ ଛକରେ ପୁଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି । ପୁରୀରେ ନାବାଳିକାକୁ ଗଣଦୁଷ୍କର୍ମ ପ୍ରତିବାଦରେ କଂଗ୍ରେସ ଭବନରୁ ରାତି ଅଧିଆ ମହମବତୀ ଶୋଭାଯାତ୍ରା କରିଥିଲେ କଂଗ୍ରେସ କର୍ମୀ । ଶତାଧିକ କଂଗ୍ରେସ କର୍ମୀ ହାତରେ ମହମବତୀ ଧରି ଧରି ନବୀନ ନିବାସ ଘେରାଉ କରିବାକୁ ବାହାରିଥିଲେ । ଦୁଷ୍କର୍ମୀକାରୀଙ୍କୁ ଗିରଫ ଓ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ନବୀନ ନିବାସ ଆଡକୁ ଆଗଉଥିଲେ । ଶିଶୁଭବନ ଛକରେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୁଲିସ । ସେଠାରେ କଂଗ୍ରେସ କର୍ମୀ ଓ ପୁଲିସ କର୍ମଚାରୀ ଧସ୍ତାଧସ୍ତି ହୋଇଥିଲେ । ଏହାପରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ୍ ।