ରଥରେ ଛେରାପହଁରା : ସୁବର୍ଣ୍ଣ ଖଡିକାରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ

148

କନକ ବ୍ୟୁରୋ : ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ ।

ଇତିମଧ୍ୟରେ ସରିଛି ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି । ପହଣ୍ଡି ବିଜେ ପରେ ଛେରାପହଁରା ଚାଲିଛି । ଛେରାପହଁରା କରୁଛନ୍ତି ଗଜପତି ମହାରାଜ । ସୁବର୍ଣ୍ଣ ଖଡିକାରେ ଛେରାପହଁରା କରୁଛନ୍ତି । ତାଳଧ୍ୱଜ ପରେ ନନ୍ଦିଘୋଷରେ ଛେରାପହଁରା ଚାଲିଛି ।  

ପୁରୀ ଗଜପତି ମହାରାଜା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟତୀତ ଦୋଳବେଦୀରେ , ସ୍ନାନବେଦୀରେ ଓ ଚାପଉପରେ ଛେରା ପହଁରା ସେବା କରନ୍ତି । ସେହି ସ୍ଥାନକୁ ସୁନା ପହଁରାରେ ଓଳେଇ ସଫା କରିଥାନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ ।