ପୁରୀରେ ବର୍ଷା ପାଣି ବଢାଇଲା ବିପଦ ! ୨ ମାସ ହେବ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ, ଡଙ୍ଗାରେ କରୁଛନ୍ତି ଯାତାୟତ ।

22

କନକ ବ୍ୟୁରୋ : ପୁରୀ ମ୍ୟୁନିସପାଲିଟିର ୧ ନମ୍ବର ୱାର୍ଡ ସୁଜାତା ନଗରର ଅବସ୍ଥା ଦିନକୁ ଦିନ ଅସମ୍ଭାଳ ହେଉଛି । ଲଗାତାର ଭାବେ ୨ମାସ ଧରି ପାଣି ଜମି ରହିଛି । ଏବେ ବି ସେହି ଅଂଚଳରେ ପାଣି ଜମି ରହିଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ବଡ କଥା ହେଲା ସେଠାକାର ଲୋକମାନଙ୍କୁ ଏବେ ବିଭିନ୍ନ ଚର୍ମରୋଗ ସଂକ୍ରମଣ କଲାଣି । ପିଲାମାନେ ସ୍କୁଲ ଯାଇପାରୁନଥିବା ବେଳେ ଅଧିକାଂଶ ଘରେ ଏବେ ତାଲା ପଡିଗଲାଣି ।

ଜଳବନ୍ଦୀ ଜୀବନ । ଛାଡୁନି ପାଣି, ବଢୁଛି ଦୁର୍ଦ୍ଦଶା । ଘଟଣା ହେଉଛି ପୁରୀ ସୁଜାତାନଗରର । ଯୁଆଡେ ଦେଖିଲେ ଅଂଟାଏ ଅଂଟାଏ ପାଣି । ଆଉ ଏହି ଜମି ରହିଥିବା ପାଣି ଭିତରେ ବଂଚିବାକୁ ସଂଘର୍ଷ ଚାଲିଛି । ନୌକା ସହାୟତାରେ ଯାଆସ କରୁଛନ୍ତି ଲୋକେ । ଘରକୁ ସଉଦା ନେଇ ଆସିବା ମଧ୍ୟ ମୁସ୍କିଲ ହୋଇପଡିଛି । ଲୋକେ ଘରୁ ବାହାରି ପାରୁନାହାନ୍ତି । ପାଣି ନିଷ୍କାସନ ହୋଇପାରୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସ୍ଥିତି ଏପରି ହୋଇଛି ଯେ ୫୦ରୁ ଅଧିକ ଘରେ ଏବେ ତାଲା ପଡିଗଲାଣି । ଆଉ କିଛି ଲୋକ ଏବେ କଲୋନୀ ଛାଡିବାକୁ ମନସ୍ଥ କରିସାରିଲେଣି । ପାଣି ଭିତରେ ସାପ ସ୍ଥାନିୟ ଲୋକମାନଙ୍କୁ ଅଧିକ ଭୟଭୀତ କରିଛି । ଲୋକଙ୍କ ପାଖରେ ନା ପଲିଥିନ ନା ଶୁଖିଲା ଖାଦ୍ୟ କିଛି ବି ପହଂଚିପାରିନାହିଁ ।

ଏବେ ୨ମାସ ହେଲା ପାଣି ଜମିଛି । କିନ୍ତୁ ସମସ୍ୟା ୨୦୧୭ ମସିହାରୁ ଆରମ୍ଭ ହୋଇଯାଇଛି । ଏହି ଅଂଚଳରେ ଡ୍ରେନର ବ୍ୟବସ୍ଥା ନଥିବାରୁ ପାଣି ଜମୁଛି । ଆଉ ବିଭିନ୍ନ ଅଂଚଳର ଡ୍ରେନ ପାଣି ଏହିଠାରେ ଜମାହେଉଛି । ଫଳରେ ଏବେ ଲୋକମାନଙ୍କ ମଧ୍ୟରେ ଚର୍ମ ରୋଗ ବ୍ୟାପିଲାଣି ।

ସେପଟେ ସିଡିଏମଓ ଘଟଣାସ୍ôଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଥଣ୍ଡା, ଜ୍ୱର ଏବଂ ବିଭିନ୍ନ ଚର୍ମରୋଗର ଶିକାର ହୋଇଥିବା ସ୍ଥାନିୟ ବାସିନ୍ଦାଙ୍କୁ ଔଷଧ ବାଂଟିଛନ୍ତି । କିନ୍ତୁ ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ସେ କହିଛନ୍ତି । ଯଦି ଏହି ଅଂଚଳରେ ଝାଡାବାନ୍ତି ବ୍ୟାପେ ତେବେ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ଥିବା ସେ ସୂଚନା ଦେଇଛନ୍ତି । ତେବେ ସ୍ୱତନ୍ତ୍ର କ୍ୟାମ୍ପ ଖୋଲାଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଥିବା ସିଡିଏମଓ କହିଛନ୍ତି । ସୁଜାତାନଗରରୁ କିପରି ପାଣି ନିଷ୍କାସନ ହେବ ସ୍ଥାନିୟ ବାସିନ୍ଦାଙ୍କୁ ଏବେ ସେହି ଚିନ୍ତା ଘାରିଛି । ପ୍ରଶାସନିକ ଅଧିକାରୀ ଆସି ବୁଲିଯିବା ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢି ବଢି ଚାଲିଛି ।