କନକ ବ୍ୟୁରୋ: ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬ରେ ପହଂଚିଛି । ମୃତକମାନେ ହେଲେ ଖଣ୍ଡିଆବନ୍ଧର ହେମନ୍ତ ସାହୁ, ନରେନ୍ଦ୍ର କୋଣର ଷଷ୍ଠ ଶ୍ରେଣୀ ଛାତ୍ର ସୌମ୍ୟରଂଜନ ସାହୁ ଏବଂ ଆଉ ଜଣେ ହେଲେ ଖଣ୍ଡିଆବନ୍ଧର ୪ ବର୍ଷର ନାବାଳିକା ସମୃଦ୍ଧି ସାହୁ । ଏବେ ବି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ପ୍ରାୟ ୨୪ ଜଣ । ତେବେ ଜଣେ ପରେ ଜଣେ ଆହତଙ୍କ ମୃତ୍ୟୁର ଖବର ପହଂଚିବା ପରେ ଯେମିତି ସ୍ତବ୍ଧ ହୋଇଯାଉଛି ସାରା ଅଂଚଳ ।

Advertisment

ଶୋକାକୂଳ ପରିବେଶ । ଭିଜିଲା ଆଖି, ସୁଖିଲା ମୁହଁ । କେଉଁ ଅବେଳା, ଡାକି ଆଣିଥିବା ଅଘଟଣ, ସମଗ୍ର ଅଂଚଳକୁ ସ୍ତବ୍ଧ କରି ଦେଇଛି । ଗୋଟିଏ ପରେ ଗୋଟିଏ ମୃତ୍ୟୁର ଖବର ଆସୁଛି । କିଏ କୁନି ଝିଅକୁ ହରାଇଛି, ତ ଆଉ କିଏ ବଢ଼ିଲା ପୁଅ ହରାଇଛି । ପୁରୀ ଦେବୀଘାଟ ଓ ଖଣ୍ଡିଆବନ୍ଧ ଅଂଚଳରେ ଯେମିତି ୨ ଦିନ ହେଲାଣି କାହା ପେଟକୁ ଦାନା ଯାଇନି । ଆଖି ବୁଜି ଦେଇଥିବା ପିଲାଙ୍କ କଥା ବାହୁନି ବାହୁନି କେବଳ ଲୁହ ଗଡୁଛି ।

ବାଣ ବିସ୍ଫୋରଣ ଘଟଣାରେ କୁମ୍ଭାରପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଘଟଣର କାରଣ ଖୋଜୁଛି ପୁଲିସ୍ । ଅନ୍ୟପଟେ ପୁରୀ, ଭୁବନେଶ୍ୱର ଓ କଟକର ବିଭିନ୍ନ ହସ୍ପିଟାଲରେ ଏବେ ବି ପ୍ରାୟ ୨୪ ଜଣଙ୍କର ଚିକିତ୍ସା ଚାଲିଛି । ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ଘଟଣାର ପୁନରାବୃତି ଯେମିତି ନହେବ, ସେଥିପାଇଁ ସଜାଗ ରହିବାକୁ ପ୍ରଶାସନ ତତ୍ପର ରହିଛି ବୋଲି ସୂଚନା ଦିଆଯାଇଛି ।

୬-୬ଟି ମୃତ୍ୟୁ ଦେଖି ସାରିଥିବା ପୁରୀ ସହରର ଧର୍ଯ୍ୟ ନାହିଁ, ଆଉ ଅଶୁଭ ଖବର ଶୁଣିବା ପାଇଁ । ସେଥି ପାଇଁ ସମସ୍ତେ ସେଇ ମହାବାହୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ଚିକିତ୍ସିତ ହେଉଥିବା ସମସ୍ତ ଆହତ ସୁସ୍ଥ ହୋଇ ଘରକୁ ଫେରନ୍ତୁ । କିନ୍ତୁ ପ୍ରଶ୍ନ ହେଉଛି
- ଏତେ ବଡ଼ ଅଘଟଣ ଘଟିଲା ହେଲେ କାର୍ଯ୍ୟାନୁଷ୍ଠାନ କାହିଁ?
- ବାଣ ବିସ୍ଫୋରଣ ଘଟଣାରେ କିଏ ହେବେ ଉତ୍ତରଦାୟୀ?
- ବିନା ଅନୁମତିରେ କିଏ ଫୁଟାଉଥିଲା ବାଣ?