କନକ ବ୍ୟୁରୋ : ମଙ୍ଗୁ ମଠକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ସାଧୁଙ୍କୁ ପୁଲିସ ଧକ୍କା ମାରିଥିଲା। ଘଟଣାକୁ ନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣାର ତଦନ୍ତ କରିବାକୁ ପୁରୀ ଏସପି ଅତିରିକ୍ତ ଏସପି ଅରୁଣ ଜେନାଙ୍କୁ ଦାୟିତ୍ବ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ମଙ୍ଗୁ ମଠ ଦାୟିତ୍ବରେ ଥିବା ପୁରୁଣା ଏକ ପ୍ଲାଟୁନ୍ ଫୋର୍ସକୁ ତୁରନ୍ତ ଅପସାରଣ କରାଯାଇ ନୂଆ ଟ୍ରୁପକୁ ନିୟୋଜିତ କରାଯାଇଛି। ମାଡ଼ ମାରିଥିବା ପୁଲିସ ଅଧିକାରୀ ତଥା ପୂର୍ବ ଟିମର ଟିମ ଲିଡର ଅବଦୁଲ ରହିମଙ୍କୁ ମଧ୍ୟ ଅପସାରଣ କରାଯାଇଛି। ସେପଟେ ଧକ୍କା ଖାଇଥିବା ବାବା ବ୍ରହ୍ମଚାରୀ ତ୍ବେଜ ସ୍ବରୁପଙ୍କ ନାମରେ ଓଲଟା ଥାନାରେ ମାମଲା ରୁଜୁ କରାଯାଇଛି।
ମଙ୍ଗୁ ମଠର ଜଣେ ଅନ୍ତେବାସୀଙ୍କ ଏତଲାକୁ ଆଧାର କରି ସାଧୁବାବାଙ୍କ ନାମରେ ଏହି ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସାଧୁଙ୍କୁ ତଣ୍ଟିଆ ମାରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବା ବଦଳରେ ତାଙ୍କ ବିରୋଧରେ ମାମଲା ରୁଜୁ ଘଟଣାକୁ ଭିନ୍ନ ରୂପ ଦେଇଛି। ଅନ୍ୟ ପକ୍ଷରେ ଅବଦୁଲ କେଉଁ ପରିସ୍ଥିତିରେ ଜଣେ ସାଧୁଙ୍କୁ ତଣ୍ଟିଆ ମାରିଥିଲେ ତା’ର ତଦନ୍ତ କରାଯିବ। ଅତିରିକ୍ତ ଏସପି ଏ ନେଇ ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଉମାଶଙ୍କର ଦାଶ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/IMG-20190927-WA0020.jpg)