କନକ ବ୍ୟୁରୋ: ଏଏସଓଙ୍କୁ ମାଡ ମାରିବା ଘଟଣାର ତଦନ୍ତ କରିବେ ପୁରୀ ଜିଲ୍ଲାପାଳ । ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଏହି ସରକାରରେ ଆଇନ୍ ତା ବାଟରେ ଯିବ । ପୁରୀ ରାଜଭବନରେ କଣ ଘଟିଥିଲା, ତାହା ଉପରେ ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୧୫ ଦିନ ଭିତରେ ରିପୋର୍ଟ ଆଶିବା ପରେ ଆଇନ୍ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଆଇନ୍ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିଥିବା ଘଟଣାରେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ସରକାର ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ତାଙ୍କୁ ଦୁଃଖ ଦେଇଛି ବୋଲି ନବୀନ କହିଛନ୍ତି । ଅନ୍ୟପଟେ ଆଜି ବିଧାନସଭା ବଜେଟ୍ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ତାତି ଦେଖିବାକୁ ମିଳିଥିଲା । ବିରୋଧୀ ମାନେ ଏହି ଘଟଣାକୁ କେନ୍ଦ୍ର କରି କକ୍ଷତ୍ୟାଗ କରିଥିଲେ ।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ସମୟରେ ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ ମାରିବା ନେଇ ଅଭିଯୋଗ ହେଇଥିଲା । ରାଜ୍ୟପାଳଙ୍କ ପୁଅ ଭିଆଇପି କାର୍ ପାଇଁ ତାଙ୍କୁ ମାଡ ମାରିଥିବା ନେଇ ଖବର ଆସିଥିଲା । ଆଉ ଏହାକୁ ନେଇ ବିରୋଧୀ ମଧ୍ୟ ତମ୍ବିତୋଫାନ କରିଥିଲେ । ହେଲେ ଏହାରି ଭିତରେ ସମ୍ପୃକ୍ତ ଏଏସଓଙ୍କୁ ବଦଳି ମଧ୍ୟ କରିଦିଆଯାଇଥିଲା । ଯାହାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।