ସେବାୟତଙ୍କ ପୁଅ ହୋଇପାରିବେନି ସେବାୟତ! ବଂଶାନୁକ୍ରମିକ ପରମ୍ପରା ବନ୍ଦ କରିବାକୁ ପ୍ରସ୍ତାବ ଦେଲେ କୋର୍ଟ, ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ଜିଲ୍ଲା ଜଜଙ୍କ ରିପୋର୍ଟକୁ ନୀତିଗତ ଭାବେ ଗ୍ରହଣ କଲେ ସୁପ୍ରିମକୋର୍ଟ

69

କନକ ବ୍ୟୁରୋ : ବଂଶାନୁକ୍ରମିକ ସେବାୟତ ପରମ୍ପରାକୁ ବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୁପାରିଶ କରିଛନ୍ତି ପୁରୀ ଜିଲ୍ଲା ଜଜ୍ । ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଜିଲ୍ଲା ଜଜ୍ ପ୍ରସ୍ତାବ ଦେଇଛନ୍ତି, ବଂଶାନୁକ୍ରମିକ ଭାବେ ସେବାୟତ ପରମ୍ପରା ଲୋପ କରି ଶ୍ରୀଜୀଉଙ୍କ ସେବା ପାଇଁ ସେବାୟତଙ୍କୁ ନିଯୁକ୍ତି ଦିଆଯାଉ । ସେହିପରି ଅନ୍ନଦାନ ଆଟିକା ବସାଇ କିମ୍ବା ଥାଳି ବସାଇ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ବନ୍ଦ କରାଯାଉ । ଏହାକୁ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ସତ୍ୱେ ଏପରି ଟଙ୍କା ଆଦାୟ ଚାଲିଛି ବୋଲି ଜିଲ୍ଲା ଜଜ୍ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

Supreme-Court_ରୋଷଘର ଓ ଚୁଲାକୁ ମନ୍ଦିର ପରିଚାଳନା କର୍ତୃପକ୍ଷ ନିୟନ୍ତ୍ରଣକୁ ନେବା ପାଇଁ ସୁପାରିଶ କରାଯାଇଛି । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲା ଜଜ । ହୁଣ୍ଡି ଓ ଭକ୍ତଙ୍କ ଅନ୍ୟାନ୍ୟ ଦାନ ଉପରେ ତୀକ୍ଷ୍ଣ ନଜର ରଖାଯାଉ ଏବଂ ମନ୍ଦିର ପାଣ୍ଠିକୁ ଆକାଉଂଟାଂଟ୍ ଜେନେରାଲଙ୍କ ଦ୍ୱାରା ଅଡିଟ୍ କରାଯାଉ । ସେବକ ଓ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଦିଆଯାଉ । ଶ୍ରୀମନ୍ଦିରରେ ସୁରକ୍ଷା ପରିଚାଳନା ପାଇଁ ଏକକ ବ୍ୟବସ୍ଥା କରାଯାଉ । ଏହାଛଡ଼ା ଜଗନ୍ନାଥ ମନ୍ଦିର ଆକ୍ଟ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଜିଲ୍ଲା ଜଜ ଗତ ମାସ ୨୬ ତାରିଖରେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

ଜିଲ୍ଲା ଜଜଙ୍କ ପରାମର୍ଶକୁ ନୀତିଗତ ଭାବେ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏବଂ ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଜଜ୍ ଯଦି ଚାହିଁବେ, ତେବେ ଅଗଷ୍ଟ ୩୧ ସୁଦ୍ଧା ଅତିରିକ୍ତ ରିପୋର୍ଟ ପ୍ରଦାନ କରିପାରିବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅଗଷ୍ଟ ୩୧ ସୁଦ୍ଧା ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଜଜଙ୍କ ରିପୋର୍ଟକୁ ଶ୍ରୀମନ୍ଦିର ପ୍ରଶାସନ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ପ୍ରକାଶ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।