ଆଜିଠୁ ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ଆସିପାରିବେନି ବାହାର ଲୋକ: ପୁରୀ ଜିଲ୍ଲା ବାହାରୁ ଆସୁଥିବା କୌଣସି ମୃତଦେହର ସଂସ୍କାର ପାଇଁ ମିଳିବନି ଅନୁମତି

କରୋନା ପାଇଁ କଟକଣା, ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳଙ୍କ ଅନୁରୋଧ

156

କନକ ବ୍ୟୁରୋ: ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ କୌଣସି ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ । ଆଜି ଠାରୁ ଏହାକୁ କଡାକଡି ଭାବେ ପାଳନ କରାଯିବ । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରାଯାଇଛି । ଏହି ନିଷ୍ପତି ଅତ୍ୟନ୍ତ କଠୋର ହୋଇଥିଲେ ମଧ୍ୟ ସମସ୍ତଙ୍କ ସୁରକ୍ଷା ପାଇଁ ଏପରି କଟକଣା କରାଯାଇଛି ।

ଆଗକୁ ପରିସ୍ଥିତିରେ ସୁଧାର ଆସିଲେ ଏହି କଟକଣା କୋହଳ କରାଯିବ । କେବଳ ପୁରୀ ଜିଲ୍ଲାବାସୀ ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ସ୍ୱର୍ଗଦ୍ୱାରରେ କରିବା ପାଇଁ ଅନୁମତି ରହିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ମୃତ ବ୍ୟକ୍ତିଙ୍କ ସହିତ ଆସୁଥିବା ବ୍ୟକ୍ତିଙ୍କ ପାଖରେ କୋଭିଡ ଭୂତାଣୁ ଥିବାର ଆଶଙ୍କା ରହିଛି । ଯଦି ଜଣଙ୍କ ଦେହରେ ଏହି ଭୂତାଣୁ ଥାଏ, ତାହା ହେଲେ ଏହା ସମସ୍ତ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ତେଣୁ ଏପରି କଟକଣା ଲଗାଯାଇଛି । ଏଥିରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ସେହିପରି ପୁରୀ ସମୁଦ୍ରରେ ବାହାର ଜିଲ୍ଲାରୁ କେହି ଅସ୍ଥି ବିସର୍ଜନ ବି କରିପାରିବେ ନାହିଁ ।

ଏପଟେ, କଟକରେ ବଢ଼ିଲା ସଟଡାଉନ ଅବଧି । ୧୦ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦେଇଛି ମହାନଗର ନିଗମ । ଏହି କଟକଣା ଆଜି ଶେଷ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ଓ ପରିସ୍ଥିତିକୁ ଦେଖି ସଟଡାଉନ କଟକଣାକୁ ବଢ଼ା ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିସହ ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ମଧ୍ୟ ସଟଡାଉନ କଟକଣା ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଅର୍ଥାତ କଟକରେ ଆସନ୍ତା ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ କଟକଣା ରହିବ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ଦୋକାନଗୁଡିକ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଅତି ଜରୁରି କାମ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । ସେପଟେ ଗଞ୍ଜାମର ସବୁ ସହରାଂଚଳରେ ଜୁଲାଇ ୯ରୁ ୫ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଳାପାଳ । ସମସ୍ତ ସହର ସହ ବ୍ଲକ୍ ହେଡକ୍ୱାର୍ଟରରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ଘରକୁ ଘରୁ ବୁଲି ସର୍ଭେ କରିବେ ଟିମ୍ ।