ପୁରୀ ଜିଲ୍ଲାରେ ଓଡିଶାର ଦ୍ୱିତୀୟ ନଗଡା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ଜିଲ୍ଲା ପ୍ରଶାସନ । ଅବହେଳିତ ବାଲିକନ୍ଦଳ ଗାଁକୁ ଯାଇ ସ୍ଥିତି ପରଖିଲେ ସରକାରୀ ଅଧିକାରୀ ।

168

କନକ ବ୍ୟୁରୋ: ଓଡିଶାର ଦ୍ୱିତୀୟ ନଗଡା ସଂପର୍କୀତ ଖବର ଗଣମାଧ୍ୟମରେ ବାଜିବା ପରେ ଚିହିଁକି ଉଠିଛି ପ୍ରଶାସନ । ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବହେଳିତ ଗାଁରେ ପହଂଚି ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି ପ୍ରଶାସନିକ ଅଧିକାରୀ । ପୁରୀ ଜିଲ୍ଲା ଗୋପ ବ୍ଲକ ବାଲିକନ୍ଦଳ ଗାଁର ଦଳିତ ସାହି ବାସିନ୍ଦା ଅତି ଦୟନୀୟ ଅବସ୍ଥାରେ ରହିଥାନ୍ତି । ଯେଉଁଠି ରାସ୍ତାଠାରୁ ଶିକ୍ଷା ସାତ ସପନ । ତା ସାଙ୍ଗକୁ ସେଠାରେ ଅନେକ ଶିଶୁ ଅପପୁଷ୍ଟିର ଶିକାର ହୋଇଥିଲେ ବି ପ୍ରଶାସନ ନଜର ପଡୁନି । ଏନେଇ ଗତ ୨୭ ତାରିଖରେ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ଗାଁରେ ପହଂଚିଛନ୍ତି ବିଡିଓ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ।

ଦୀର୍ଘ ଦିନ ଧରି ମୌଳିକ ସୁବିଧାରୁ ବଂଚିତ ହୋଇ ଆସିଛି ଏହି ବାଲିକନ୍ଦଳ ସାହି । ଯାଜପୁର ନଗଡା ତ ବିକାଶ ମୁହାଁ ହେଲେ ପୁରୀ ଜିଲ୍ଲା ସଦର ମହୁକମା ଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା ଏହି ନଗଡା କିନ୍ତୁ ଖୁବ୍ ଅବହେଳିତ । ଖାଦ୍ୟ, ପାନୀୟ, ରାସ୍ତାଘାଟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଠାରୁ ବହୁ ଦୂରରେ ଅଛନ୍ତି ସାହିରେ ରହୁଥିବା ୪୦ଟି ପରିବାର । ଏବେ ପୁରୀ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଗାଁରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ଲକ ପ୍ରଶାସନିକ ଅଧିକାରୀ । ସାହି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।

ତେଣୁ ଆଗାମୀ ଦିନରେ ବାଲିକନ୍ଦଳ ସାହିର ଚିତ୍ର ବଦଳିବ । ମନେରଗା ଯୋଜନାରେ ରାସ୍ତାକାମ ହେବା ସହିତ ଭୂମିହୀନକୁ ଜମି ପଟ୍ଟା ଦିଆଯାଇ ବିଜୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏତଦବ୍ୟତୀତ ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରାଯାଇ ବାଲିକନ୍ଦଳ ସାହିର ସର୍ବାଙ୍ଗୀନ ଉନ୍ନତି କରାଯିବ ବୋଲି କୁହାଯାଇଛିା