କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ମାନି  ଜଗନ୍ନାଥଙ୍କ ପାଇଁ ଜମି ଛାଡିଲେ । ବଦଳରେ ସରକାର ବି ଜମି ଦେଲେ । କିନ୍ତୁ ଜମି ବିବାଦୀୟ । ଘର ତିଆରି କରିବା ବେଳେ କିଛି ବ୍ୟକ୍ତି ଏହାକୁ ବିରୋଧ କରୁଛନ୍ତି । ଫଳରେ ଦ୍ୱନ୍ଦ୍ୱରେ ଏବେ ପୁରୀର ଐତିହ୍ୟ କରିଡର ପାଇଁ ଜମି ଛାଡିଥିବା ବିସ୍ଥାପିତ, ସେମାନେ ଏବେ ଯିବେ କୁଆଡେ?

Advertisment

ନାମ – କୃଷ୍ଣଚନ୍ଦ୍ର  ଜେନା

ବୟସ- ୭୫ ବର୍ଷ 

ପିତା- ୰ ଆର୍ତ ଜେନା

ବାସେଳୀ ସାହି, ପୁରୀ

ଏହି ବ୍ୟକ୍ତିଙ୍କୁ ପୁରୀ ଜିଲ୍ଲାପ୍ରଶାସନ ଗତ ଅଗଷ୍ଟ ୨୫, ୨୦୨୦ରେ ହଜାରେ ବର୍ଗ ଫୁଟର ଏକ ଘରବାରୀ ଜମି ଦେଇଥିବା ନେଇ ବିକ୍ରି ଦଲିଲ ଜାରି କରିଥିଲେ । ଏହାର ମାସକ ପରେ ସେପ୍ଟେମ୍ବର ୪, ୨୦୨୦ରେ ପ୍ଲଟ ନମ୍ବର-୧୩୩ (ପି),  ସବ୍ପ୍ଲଟ-୩ ପାଇଁ ଜମି ପଟ୍ଟା ବି ପାଇଛନ୍ତି କୃଷ୍ଣଚନ୍ଦ୍ର । 

ଶ୍ରୀମନ୍ଦିର ଚତୁର୍ପାଶ୍ୱକୁ  ଐତିହ୍ୟ କରିଡର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନିଜ ଜମିକୁ ଦାନ କରିଥିଲେ ବହୁ ବ୍ୟକ୍ତି । ଏଥିପାଇଁ କ୍ଷତିଗ୍ରସ୍ତଙ୍କ ଥାଇଥାନ ପାଇଁ ଥିବା ନିୟମ ଅନୁସାରେ କିଛି ବ୍ୟକ୍ତି ଜମି ବଦଳରେ ଜମି ଚାହିଁଥିଲେ । ଏପରିକି ଏଥିପାଇଁ ଆବଶ୍ୟକୀୟ ଅର୍ଥ ବି ପୈଠ କରିଥିଲେ । କିନ୍ତୁ ଏବେ ଜମି ପଟା ମିଳିଥିଲେ ବି ସେଠାରେ ଘର ନିର୍ମାଣ କରିପାରୁ ନାହାନ୍ତି । କାରଣ ଏହି ଜମି ବିବାଦୀୟ ଥିବା ନେଇ ଅନ୍ୟଲୋକମାନେ ଦାବି କରିଛନ୍ତି । ଫଳରେ ବାସେଳୀ ସାହିର ୭ ଜଣ ବିସ୍ଥାପିତ ନିଜ ଘର ପାଇଁ ଜମି ପାଇବା ନେଇ ଏବେ ଚିନ୍ତାରେ । 

ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଫଳରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଏହି ବିସ୍ଥାପିତ ।  ଅନ୍ୟପଟେ ପ୍ରଶାସନର ଉପସ୍ଥିତିରେ ଭୂମିପୂଜନ କରିଛନ୍ତି ବିସ୍ଥାପିତ ଏବଂ ଏହି ଜମି ଏବେ ସେମାନଙ୍କ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଏହାସହ ସେମାନେ ଆଇନର ସହାୟତା ନେଇପାରିବେ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । 

ଜଗନ୍ନାଥଙ୍କ କାମ ଭାବି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଜମି ଦେଇଥିବା ଏହି ବ୍ୟକ୍ତିମାନେ ବଦଳରେ ପାଇଥିବା ଜମିରେ କିଭଳି ସେମାନେ ଘର କରିପାରିବେ ସେନେଇ ପଦକ୍ଷେପ ନେବା କଣ ଜରୁରୀ  ନୁହେଁ କି ?