ଅକ୍ଷମ ହୋଇ ବି ସକ୍ଷମ ! ଜନ୍ମରୁ ଦୁଇଗୋଡ ଅକାମୀ କିନ୍ତୁ ବିଲରେ ଧରୁଛନ୍ତି ହଳ ଲଙ୍ଗଳ, ପଢନ୍ତୁ ଓଡ଼ିଶାର ଦିବ୍ୟାଙ୍ଗ ଯୁବକ ସୁରେନ୍ଦ୍ରଙ୍କ ପୂରା କାହାଣୀ

286

କନକ ବ୍ୟୁରୋ : ଦିବ୍ୟାଙ୍ଗ ହୋଇ ଜନ୍ମ ହେବା ଅନେକଙ୍କ ପାଇଁ କୌଣସି ଅଭିଶାପ ଠାରୁ ମଧ୍ୟ କମ ନୁହେଁ । ଏପରିକି ଆମ ସମାଜରେ ଅନେକ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନଙ୍କୁ ସାଧାରଣ ଲୋକ ପରିବାର ପାଇଁ ବୋଝ ବୋଲି ଭାବିଥାନ୍ତି । କିନ୍ତୁ ସେମାନଙ୍କ ଧାରଣାକୁ ଭୂଲ ପ୍ରମାଣିତ କରିଛନ୍ତି ପୁରୀର ଦିବ୍ୟାଙ୍ଗ ଯୁବକ ସୁରେନ୍ଦ୍ର ଭୋଇ । ତାଙ୍କର କାର୍ଯ୍ୟ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି । ପରିବାର ପାଇଁ ବୋଝ ନୁହେଁ ବରଂ ସ୍ୱାବଲମ୍ବୀ ହୋଇ ବଞ୍ଚିବା ସୁରେନ୍ଦ୍ରଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ତାଙ୍କର କାର୍ଯ୍ୟଶୈଳୀ ଦେଖି ଯେକୌଣସି ସକ୍ଷମ ମଣିଷ ମଧ୍ୟ ସୁରେନ୍ଦ୍ରଙ୍କୁ ପ୍ରଂଶସା ନ କରି ରହି ପାରିବ ନାହିଁ ।

1ପୁରୀର ଦିବ୍ୟାଙ୍ଗ ଯୁବକ ସୁରେନ୍ଦ୍ର ଭୋଇ । ଜନ୍ମ ସମୟରୁ ହିଁ ଭଗବାନ ତାଙ୍କ ପ୍ରତି ନିର୍ଦ୍ଦୟ ହୋଇଥିଲେ । ଛୋଟ ବେଳୁ ଦୁଇଗୋଡ ଅକାମୀ ହୋଇପଡିଥିବା ବେଳେ ବୟସ ବଢିବା ସହ ତାଙ୍କ ପିଠିରେ ବଢିଛି କୁଜ । ଏପରିକି ଦୁଇଟି ହାତ କାମକରୁଥିଲେ ସୁଦ୍ଧା ଦୁର୍ବଳ । କିନ୍ତୁ ଏତେସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାହସ ହରାଇ ନାହାନ୍ତି ସୁରେନ୍ଦ୍ର । ଅଦମ୍ୟ ଇଚ୍ଛାଶକ୍ତି ଆଗରେ ଏସବୁ ହାର ମାନିଛି । ପରିବାର ଉପରେ ବୋଝ ହେବା ଅପେକ୍ଷା ସ୍ୱାବଲମ୍ବୀ ହୋଇ ବଞ୍ଚିବାକୁ ଅଧିକ ପସନ୍ଦ କରିଛନ୍ତି ସୁରେନ୍ଦ୍ର । ଫ୍ୟାନର ମୋଟର ବାଇଡିଂ ହେଉ ଅବା ରେଡିଓ ମରାମତି କିମ୍ବା ସାଇକେଲ ମରାମତି ସବୁ କାମରେ ପାରଙ୍ଗମ ସୁରେନ୍ଦ୍ର । ଆଉ ଏହାକୁ ସେ ନିଜର ରୋଜଗାରର ମାଧ୍ୟମ ବନାଇଛନ୍ତି ।

ଏହାଛଡା ଏହି କାମରୁ ଟିକିଏ ଫୁରୁସତ ମିଳିଲେ ସିଧା ପହଞ୍ଚିଯାନ୍ତି ବିଲରେ । ଭାଗଚାଷ କରୁଥିବା ବାପା ଓ ଜେଜେଙ୍କୁ ଚାଷକାମରେ ସାହାଯ୍ୟ ମଧ୍ୟ କରିଥାନ୍ତି । ସୁରେନ୍ଦ୍ର ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଛନ୍ତି ସତ କିନ୍ତୁ କାମରେ କୌଣସି ସକ୍ଷମଙ୍କ ଠାରୁ ମଧ୍ୟ କମ ନୁହଁନ୍ତି । ବିଲରେ ପାଦ ଦେବା ମାତ୍ରେ ସକ୍ଷମ ମଣିଷଙ୍କ ଭଳି କାମ କରିଥାନ୍ତି ସୁରେନ୍ଦ୍ର । ମୁଣ୍ଡରେ ଗାମୁଛା ଭିଡି ହାତରେ ପାଞ୍ଚଣ ଧରି ହଳ କରିଥାନ୍ତି ଏହି ଦିବ୍ୟାଙ୍ଗ ଯୁବକ । ଏପରିକି ବାପାଙ୍କ ସହ ମିଶି ବିଲରେ ମହି ମଧ୍ୟ ଦେଇଥାନ୍ତି । ଯାହା ସାଧାରଣ ଲୋକଙ୍କୁ ବେଶ ଆଶ୍ଚଯ୍ୟ କରିଥାଏ । ଅତି ଗରିବ ପରିବାରରେ ଜନ୍ମ ନେଇଥିବା ଏହି ଦିବ୍ୟାଙ୍ଗ ସୁରେନ୍ଦ୍ରଙ୍କ ପାଇଁ ଏବେ ମଧ୍ୟ ସରକାରୀ ଯୋଜନା ଅପହଞ୍ଚ ।

ରାଜନିତୀ ଓ ସରକାରୀ କଳର ବାଘବଜାରୀ ଭିତରେ ଭିନ୍ନକ୍ଷମଙ୍କୁ ମିଳୁଥିବା ସାଇକେଲ ମଧ୍ୟ ଏଯାଏଁ ପାଇ ପାରିନାହାନ୍ତି ସୁରେନ୍ଦ୍ର । ସରକାରୀ ସୁବିଧା ତାଙ୍କ ପାଇଁ ଅପହଂଚ ହୋଇଥିବା ବେଳେ ଯଦି ସରକାରଙ୍କ ପକ୍ଷରୁ ଇନ୍ଦିରା ଆବାସ ସହ ଋଣ ମିଳିଲେ ନିଜେ ଦୋକାନଟିଏ କରି ସ୍ୱାବଲମ୍ବି ହେବେ ବୋଲି କହିଛନ୍ତି ସୁରେନ୍ଦ୍ର ଓ ତାଙ୍କ ପରିବାର । ତେବେ ଏସବୁ ଭିତରେ ସୁରେନ୍ଦ୍ରଙ୍କୁ ସାହାଯ୍ୟ ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି କହିଚନ୍ତି ସ୍ଥାନୀୟ ୱାର୍ଡମେମ୍ବର ।