ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ନୂଆ ବୋହୁ ଭଳି ସଜେଇ ହେଉଛି ଶ୍ରୀକ୍ଷେତ୍ର ।

269

କନକ ବ୍ୟୁରୋ: ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ ପୂର୍ବରୁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ପୁରୀ ସହରର କାନ୍ଥବାଡଠାରୁ ଆରମ୍ଭ କରି ରାସ୍ତାଘାଟକୁ ହଜି ଯାଉଥିବା କଳା ସଂସ୍କୃତି, ଐତିହ୍ୟ ଗାଥା ଆଧାରରେ ଚିତ୍ରଣ କରାଯାଇଛି । ଯାହା ଶ୍ରୀକ୍ଷେତ୍ରରୁ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି ।

ନୂଆ ବୋହୁ ଭଳି ସଜେଇ ହେଉଛି ଶ୍ରୀକ୍ଷେତ୍ର । ପୁରୀର ରାସ୍ତାଘାଟଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ରର କାନ୍ଥ ରଙ୍ଗେଇ ହେଉଛି । ଲାଗୁଛି ଯେମିତି ରଙ୍ଗୀନ ଶାଢ଼ୀ ପିନ୍ଧୁଛି ଶ୍ରୀକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ପାଇଁ ବଡଦାଣ୍ଡକୁ ରଙ୍ଗାଯିବା ପରେ, ସଂଲଗ୍ନ ଗଳି ରାସ୍ତାର କାନ୍ଥକୁ ବି ଚିତ୍ରଣ କରାଯାଉଛି । ଯେଉଁଥିରେ ବାଦ୍ୟ ଯନ୍ତ୍ରଠାରୁ ଆରମ୍ଭ କରି, ନୃତ୍ୟଶୈଳୀର ଛବି ବେଶ୍ ମନୋଲୋଭା ହୋଇଛି । ପୁଣି ସମୁଦ୍ରଚର ଜୀବଙ୍କଠୁ ନେଇ ସାମୁଦ୍ରିକ ଜଳକ୍ରୀଡାର ଚିତ୍ର ମନ ମୋହୁଛି ।  ଏଥିସହ ସ୍ଥାନୀୟ କଥା ବସ୍ତୁର ଅବବୋଧକୁ ଚିତ୍ରରେ ଅବତାରଣା ବଖାଣୁଛି ଐତିହ୍ୟର ଗାଥା । ଯାହାକି ଶ୍ରୀକ୍ଷେତ୍ରର ଶୋଭା ବଢ଼ାଇବା ସହ ମହାନ ଉକ୍ରଳୀୟ ପରମ୍ପରାକୁ ଉଜୀବିତ କରୁଛି । ଜିଲ୍ଲାପାଳଙ୍କ କହିବା ଅନୁସାରେ ପ୍ରାୟ ୨୦ଟି କଥାବସ୍ତକୁ ଆଧାର କରି ୨ଲକ୍ଷ ବର୍ଗଫୁଟ କାନ୍ଥକୁ ଚିତ୍ରଣ କରାଯାଉଛି ।

ଶୀମନ୍ଦିର ନିକଟରେ ଥିବା ବ୍ରିଟିଶ ଅମଳର ପାଣି ଟାଙ୍କିରେ ଶୋଭା ପାଉଛି କାଞ୍ଚି ଅଭିଯାନର କାହାଣୀ । ପଟ୍ଟଚିତ୍ରରେ ରଘୁରାଜପୁରର ଚିତ୍ରଶିଳ୍ପୀ ଗଜପତି ପୁରୁଷୋତମ ଦେବ ଓ ରାଣୀ ପଦ୍ମାବତୀଙ୍କ ପ୍ରେମଠୁ ନେଇ କାଞ୍ଚି ଅଭିଯାନର ପୁରା କାହାଣୀ ବର୍ଣ୍ଣନା କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା କରିବାବେଳେ , ଶ୍ରଦ୍ଧାଳୁମାନେ ଏହାକୁ ଦେଖିପାରିବେ । ପରିକ୍ରମା ପ୍ରକଳ୍ପ ଯୋଗୁଁ ଐତିହ୍ୟକୁ ନଷ୍ଟ କରାଯାଇଥିବା ଅଭିଯୋଗ ଭିତରେ ପ୍ରଶାସନର ଏଭଳି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଉଛି ।