କନକ ବ୍ୟୁରୋ :  ଶ୍ରୀମନ୍ଦିରର ପ୍ରମୁଖ ସେବା ଦାୟିତ୍ବ ନିର୍ବାହ କରୁଥିବା ତଥା ରଥଯାତ୍ରାର ସମସ୍ତ ଗୁରୁ ଦାୟିତ୍ବ ତୁଲାଉଥିବା ଦଇତାପତି ନିଯୋଗ (ସେବକ)ଙ୍କୁ ଅଣଦେଖା ଓ ଅବହେଳା କରାଯାଉଛି। ସେମାନଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲଦି ଦିଆଯାଉଛି। ଫଳରେ ୧୮୦ ଦଇତା ପରିବାର ମଧ୍ୟରୁ କେତେ ଜଣ ହାତ ଗଣତି ପରିବାରକୁ ଛାଡ଼ିଦେଲେ ଶତକଡ଼ା ୯୦ ଭାଗ ଦଇତା ସେବକଙ୍କ ଜୀବନଜୀବିକା ବିପନ୍ନ ହୋଇପଡ଼ିଛି। ସେମାନଙ୍କୁ ଆବଶ୍ୟକ ପ୍ରାପ୍ୟ ପାଉଣା ମିଳୁନଥିବା ଦଇତାମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ଏବେ ଦଇତାଙ୍କ କ୍ଷତିପୂରଣ ଉପରେ ଆଉ ଏକ ରୋକ୍‌ ଲାଗିବାକୁ ଯାଉଛି।

Advertisment

publive-image source : google

ଗତ ୨୦୧୪ରୁ ୨୦୧୮ ମଧ୍ୟରେ ଦଇତାମାନଙ୍କ ବାକି ଥିବା କ୍ଷତିପୂରଣ ବାବଦକୁ ମିଳିବାକୁ ଥିବା ୭ କୋଟି ୨୨ ଲକ୍ଷ ଟଙ୍କା ଦେବାକୁ ଅର୍ଥ ବିଭାଗ ମନା କରିବ‌ା ପରେ ଏ ପ୍ରକାର ଆଶଙ୍କା ପ୍ରକାଶପାଇଛି। ଏ ନେଇ ବଜେଟ୍‌ରେ ବ୍ୟବସ୍ଥ‌ା ନ ଥିବାରୁ ଏହା ଦିଆଯାଇପାରିବ ନାହିଁ ବୋଲି ଅର୍ଥ ବିଭାଗ କହିବା ପରେ ଆଇନ ବିଭାଗ ପକ୍ଷରୁ ବିଧାନସଭାର ସଚିବଙ୍କୁ ଗତ ୨୯ ତ‌ାରିଖରେ ଚିଠି କରାଯାଇଛି। ଅନ୍ୟ ପକ୍ଷରେ ପ୍ରତିବର୍ଷ କିନ୍ତୁ କ୍ଷତିପୂରଣ ଟଙ୍କା ଦଇତା ପାଉଥିବା କହିଛନ୍ତି। ସେମାନେ ୨୦୧୯ ପର୍ଯ୍ୟନ୍ତ ତାଙ୍କ କ୍ଷତିପୂରଣ ଟଙ୍କା ପାଇଛନ୍ତି।

ଗତ ୨୦୧୪ ରୁ ୨୦୧୯ ମଧ୍ୟରେ ରଥଚଢ଼ା ବାରଣ ବାବଦ କ୍ଷତିପୂରଣ ଟଙ୍କା ଦଇତାଙ୍କୁ ମିଳିସାରିଥିବା ନି‌ଯୋଗ ସଂପାଦକ ଦୁର୍ଗାଦାସ ମହାପାତ୍ର କହିଛନ୍ତି। ଗୋଟିଏ ପଟେ ବିନା ଅନୁମତିରେ ଦଇତା ନିଯୋଗକୁ ୭ କୋଟି ଟଙ୍କା ଦେଇ ସାରିବା ପରେ ଅର୍ଥ ବିଭାଗକୁ ଏଥି ପାଇଁ ଚିଠି ଲେଖି ଆଇନ ବିଭାଗ ଅଡ଼ୁଆରେ ପଡ଼ିଛି। ଏବେ ସରକାର ଏହାକୁ କିଭଳି ଭରଣା କରିବେ ତାକୁ ନେଇ ପ୍ରଶ୍ନ ଉଠୁଛି। ଅର୍ଥ ବିଭାଗ ଏହାକୁ ବାରଣ କରିବ‌ା ପରେ ଦଇତାଙ୍କ କ୍ଷତିପୂରଣକୁ ନେଇ ମଧ୍ୟ ଅଡୁଆ ସ୍ଥିତି ଉପୁଜିଛି। ସରକାର ଏଥର କ୍ଷତିପୂରଣ ଅର୍ଥ ଦେବେ କି ନାହିଁ ତାକୁ ନେଇ ମଧ୍ୟ ଆଶଙ୍କା ଉପୁଜିଛି।

publive-imageଗତ ୨୦୧୪ରୁ ଭକ୍ତଙ୍କ ରଥ ଚଢ଼ିବା ବାରଣ କରାଯାଇଥିଲା। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରଥ ଉପରକୁ ଭକ୍ତ ଚଢ଼ିବା ଉପ‌ରେ ରୋକ୍‌ ଲାଗିଥିଲା। ସେତେବେଳେ ମନ୍ଦିର ପ୍ରଶାସନ ସହିତ ଏ ନେଇ ଏକ ଆପୋଷ ଆଲୋଚନା ମଧ୍ୟ କରାଯାଇଥିଲା। ରଥ ଚଢ଼ିବ‌ା ବାରଣ ହେବା ପରେ ଏ ବାବଦ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ପ୍ରଶାସନ ମଧ୍ୟ ଏ ବାବଦ କ୍ଷତିପୂରଣ ପ୍ରତିବର୍ଷ ପ୍ରଦାନ କରି ଆସୁଛି।

ଅନ୍ୟପକ୍ଷରେ ଦଇତା ନିଯୋଗର ସହ ସଂପାଦକ ବିନାୟକ ଦାସମହପାତ୍ର ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ଦଇତା ସେବକ ରାମଦାସ ମହାପାତ୍ରଙ୍କ କହିବା କଥା, ସେମାନେ ‌ଯେତିକି କ୍ଷତିପୂରଣ ପାଉଛନ୍ତି, ତାହା ପର୍ଯ୍ୟାପ୍ତ ନୁହେଁ। କୌଣସି ପରିସ୍ଥିତିରେ କ୍ଷତିପୂରଣ ବନ୍ଦ କଲେ ଦଇତା ନିଯୋଗର ସହଯୋଗ ମିଳିବ ନାହିଁ ବୋଲି କହିଛନ୍ତି। ଜଣେ ଦଇତା ସେବକ ସ୍ନାନ ପୂଣ୍ଣିମାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯେତିକି ପ୍ରାପ୍ୟ ପାଉଣା ପାଆନ୍ତି ସେତିକିରେ ବର୍ଷେ ଚଳନ୍ତି। ‌ଏବେ ୧୮୦ ଜଣ ଦଇତା ସେବକ ମହାପ୍ରଭୁଙ୍କୁ ‌ସେବା କରୁଛନ୍ତି। ଏମ‌ାନଙ୍କୁ ଯେତିକି ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ। ସରକାର ଜଣେ ସେବକ ଭ‌ଲରେ ଚଳିଲା ଭଳି ପ୍ରାପ୍ୟ ପାଉଣା ଦେବାକୁ ଦାବି କରିଛନ୍ତି।