ପୁରୀ ହାଜତ ମୃତ୍ୟୁ ଘଟଣା : ଶବ ବ୍ୟବଚ୍ଛେଦ ରିପୋର୍ଟରେ ଚାଂଚଲ୍ୟ ତଥ୍ୟ; ମୃତ ରମେଶଙ୍କ ଦେହସାରା ରହିଛି କ୍ଷତ ଚିହ୍ନ

ମୁଣ୍ଡରେ ଶକ୍ତ ପ୍ରହାର ବାଜି ଥିବା ଯୋଗୁଁ ରକ୍ତ ଜମାଟ ବାନ୍ଧିଥିବା ପ୍ରକାଶ

259

କନକ ବ୍ୟୁରୋ : ପୁରୀ ବାସେଳିସାହି ହାଜତ ମୃତ୍ୟୁ ଘଟଣାର ଶବ ବ୍ୟବଛେଦ ରିପୋର୍ଟରେ ଚାଂଚଲ୍ୟକର ତଥ୍ୟ । ମୃତ ରମେଶଙ୍କ ଦେହସାରା ରହିଛି କ୍ଷତ ଚିହ୍ନ । ମୁଣ୍ଡରେ ଶକ୍ତ ପ୍ରହାର ଯୋଗୁଁ ରକ୍ତ ଜମାଟ ବାନ୍ଧିଛି । ରମେଶଙ୍କ ଶରୀରରେ ୨୦ରୁ ଅଧିକ ସ୍ଥାନରେ ଗଭୀର ଆଘାତ ଲାଗିଛି । ମୁଣ୍ଡଠାରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ସବୁଠି କ୍ଷତ ଚିହ୍ନ ରହିଛି । ଶବ ବ୍ୟବଛେଦ ରିପୋର୍ଟ ଅନୁସାରେ କେ. ରମେଶଙ୍କ ମୃତ୍ୟୁ ଅସ୍ୱାଭାବିକ ।

ତାଙ୍କ ଆଂଠୁର ମଧ୍ୟ ଭାଗରେ ଚାରି ଇଂଚ ଲମ୍ବ ଓ ଏକ ଇଂଚ ଓସାରର ୩ଟି କ୍ଷତ ରହିଛି । ଏଥିସହ ବାମ ହାତରେ ଚାରି ଇଂଚ ଲମ୍ବ ଓ ଏକ ଇଂଚ ଓସାରର କ୍ଷତ ଚିହ୍ନ ରହିଛି । ଡାହାଣ ହାତରେ କ୍ଷତ ଚିହ୍ନ ରହିଛି । ବାମ ଆଂଠୁ , ଆଖିପତା, ବାମ ହାତ ଓ ବାହୁିରେ ବି କ୍ଷତ ଚିହ୍ନ ରହିଛି । ବାମ ଗୋଡ ଗୋଇଠି ଆଘାତପ୍ରାପ୍ତ ହୋଇଛି । ହାତର ପାପୁଲ ଫୁଲିଛି । ସେହିପରି ମୁଣ୍ଡରେ ମାଡ ଯୋଗୁଁ ରକ୍ତ ବି ଜମାଟ ବାନ୍ଧିଛି । ମୁଣ୍ଡ ଉପରେ କୌଣସି ଶକ୍ତ ଜିନିଷରେ ପ୍ରହାର କରାଯାଇଛି। ଯେଉଁଥିପାଇଁ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ମାଡ଼ରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଛି। ଯାହା ମାରାତ୍ମକ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତରମାନେ ଉଲ୍ଲେଖ କରିଛନ୍ତି।

ସେହିଭଳି କାନ ମୁଣ୍ଡା, ପେଟ, ଯକୃତ, କିଡ୍‌ନି ଆଦି ବି ଆଘାତପ୍ରାପ୍ତ ହୋଇଛି। ଶରୀରର ବିଭିନ୍ନ ସ୍ଥାନରେ ରକ୍ତ ଜମାଟ ବାନ୍ଧିଛି। ଡାକ୍ତରମାନେ ସ୍ପଷ୍ଟ ଲେଖିଛନ୍ତି, କୌଣସି ଶକ୍ତ ଜିନିଷ କିମ୍ବା ଦନ୍ଥରା ଜିନିଷରେ କେ. ରମେଶଙ୍କୁ ଏକାଧିକ ଥର ଆଘାତ ଦିଆଯାଇଛି। ରାଜ୍ୟ ପରୀକ୍ଷାଗାରକୁ ନମୁନା ପଠାଯାଇଥିବା ବେଳେ ଏହାର ରିପୋର୍ଟ ଆସିନଥିବାରୁ ଡାକ୍ତରମାନେ ମୃତ୍ୟୁର କାରଣକୁ ଝୁଲାଇ ରଖିଛନ୍ତି। କେ. ରମେଶଙ୍କ ମୃତ୍ୟୁର ୧୨ରୁ ୧୮ ଘଣ୍ଟା ଭିତରେ ଶବ ବ୍ୟବଚ୍ଛେଦ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ଏହାକୁ ନେଇ ବିଭିନ୍ନ ମହଲରେ ବି‌ରୋଧର ସ୍ବର ଉଠିଛି। ଜିଲ୍ଲା କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୧୯ ତାରିଖରେ କେ. ରମେଶଙ୍କ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିଥିଲା। ହାଜତ ଭିତରେ ପୁଲିସ ରମେଶଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରି ଏହା ବିରୋଧରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଘଟଣାରେ ରାଜ୍ୟ ସରକାର ପୁରୀର ତତ୍କାଳୀନ ଏସ୍‌ପିଙ୍କୁ ବଦଳି କରିଥିବା ବେଳେ ଦୁଇ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି।