ଘରକୁ ଫେରିଲେ ପୁରୀ ପୋଲିସ ହେପାଜତରେ ମୃତ କେ ରମେଶଙ୍କ ଦାଦା: କହିଲେ, ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିଲା ଶବଦାହ

ପୂର୍ବରୁ ପରିବାରକୁ ନଜଣାଇ ଶବ ଜାଳିଦେଇଥିବା ଅଭିଯୋଗ ଆଣିଥିଲେ ସମ୍ପର୍କୀୟ: ଉଠିଲା ପ୍ରଶ୍ନ, ଚାପରେ ବଦଳାଉଛନ୍ତି କି ବୟାନ

152

କନକ ବ୍ୟୁରୋ: ଘରକୁ ଫେରିଲେ ପୁରୀ ପୋଲିସ ହେପାଜତରେ ମୃତ କେ ରମେଶଙ୍କ ଦାଦା । ପୋଲିସ ହେପାଜତରେ ରମେଶଙ୍କ ମୃତ୍ୟୁ ପରେ ତାଙ୍କର ବାପା, ମାଆ ଓ ଦାଦାଙ୍କୁ ନେଇ ଲାଗିରହିଥିଳା ରହସ୍ୟ । କାରଣ ୧୯ତାରିଖରୁ ଏମାନଙ୍କୁ ଘରୁ ଉଠାଇ ନେଇଥିଲେ ପୁରୀ ପୋଲିସ । ଏବେ ଘରକୁ ଫେରିଛନ୍ତି ରମେଶଙ୍କ ଦାଦା । ଗତକାଲି ରାତି ଗୋଟାଏ ରେ ପୋଲିସ ତାଙ୍କୁ ଛାଡି ଦେଇଛି । ଏବେବି ସାମ୍ନାକୁ ଆସିନାହାନ୍ତି ରମେଶଙ୍କ ବାପା, ମାଆ । ତେଣୁ କୁଆଡେ ଗଲେ ରମେଶ ଙ୍କ ବାପା, ମାଆ ତାକୁ ନେଇ ରହସ୍ୟ ବଢିବାରେ ଲାଗିଛି ।

ହେଲେ ରମେଶଙ୍କ ଦାଦା କହିଛନ୍ତି ସେମାନଙ୍କୁ ଛାଡି ଦିଆଯାଇଛି ଏବଂ ମାନସିକ ଅବସ୍ଥା ଠିକ ନଥିବାରୁ ଘରକୁ ନଫେରି ସେମାନେ କୌଣସି ସମ୍ପର୍କୀୟଙ୍କ ଘରେ ଥାଇପାରନ୍ତି । ଏଥିସହ ତାଙ୍କ ଉପସ୍ତିତିରେ କେ ରମେଶଙ୍କ ଶବଦାହ କରାଯାଇଥିବା ସୂଚନା ଦେଇଛନ୍ତି । ହେଲେ ପୂର୍ବରୁ ପରିବାର ଲୋକଙ୍କୁ ନଜଣାଇ ପୋଲିସ ଶବଦାହ କରିଥିବା ଅଭିଯୋଗ ଆଣିଥିଲେ ସମ୍ପର୍କୀୟ । ଏବେ ଦାଦା ରଖୁଥିବା ବୟାନ ବଡ ସନ୍ଦେହ ତିଆରି କରୁଛି । ପୋଲିସ ଚାପରେ ସେ ଏଭଳି ବୟାନ ରଖୁଛନ୍ତିି କି ବୋଲି ପ୍ରଶ୍ନ ଉଠୁଛି ।

ସେପଟେ ବିଧାନସଭାରେ ଆଜି ପୁଣି ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଡଶ ଟିପ୍ପଣୀ କରିଛନ୍ତି । ନରସିଂହ କହିଛନ୍ତି ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି । ସେହିପରି କେବଳ ନିଲମ୍ବନ କଲେ ଚଳିବ ନାହିଁ ହାଜତ ମୃତ୍ୟୁ ପ୍ରସଙ୍ଗରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି । ସେପଟେ ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି ଯେ, ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା । ଏହାକୁ ଗୁରୁତର ସହ ବିଚାର କରିବା ଆବଶ୍ୟକ । ତେବେ ଏ ପ୍ରସଙ୍ଗ କୋର୍ଟରେ ବିଚାରଧୀନ ଅଛି ତେଣୁ ଏହା ଉପରେ ଆଲୋଚନା ହେଲେ ଘଟଣା ପ୍ରଭାବିତ ହେବାର ସମ୍ଭାବନା ଅଛି ବୋଲି ଅମର ଶତପଥି କହିଛନ୍ତି ।