ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା । ସରକାରଙ୍କୁ ରିପୋର୍ଟ ତଲବ, ଆସନ୍ତା ସୋମବାର ପରବର୍ତ୍ତୀ ଶୁଣାଣୀ

113

କନକ ବ୍ୟୁରୋ : ଗୋଟିଏ ଘଟଣାର ଇଏ ହେଉଛି ଏକାଧିକ ପ୍ରତିକ୍ରିୟା । ବିଚାର ପୂର୍ବରୁ ପୁଲିସ୍ ହେପାଜତ୍ରେ ଅପରାଧୀଙ୍କ ମୃତ୍ୟୁ ଘଟଣା, ପୁରୀରୁ କଟକ ଭାୟା ଭୁବନେଶ୍ୱର ଦେଇ ଦିଲ୍ଲୀରେ ପହଂଚିଯାଇଛି । ଘଟଣା ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ପୋଷ୍ଟମର୍ଟମ୍ ରିପୋର୍ଟ ସହ ସବିଶେଷ ତଥ୍ୟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏପଟେ ବିଧାନସଭାରେ ହାଜତ ମୃତ୍ୟୁ ମାମଲାରେ ହଙ୍ଗାମା କରିଛନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଟଗୋଳ କରିଛନ୍ତି । ପୁରୀ ଏସପିଙ୍କ ଗିରଫ ଦାବି କରିଛନ୍ତି ବିରୋଧୀ ।

ଆଉ ଏହାରି ଭିତରେ ଦିଲ୍ଲୀ ଦରବାରରେ ଶାସକ ଦଳକୁ ଘେରିବା ପାଇଁ, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁଲିସ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେହିପରି ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଘଟଣା ନିରପେକ୍ଷ ତଦନ୍ତ ପାଇଁ କରିଛନ୍ତି ।

ରାଜ୍ୟରେ ଦୁଇ ଦୁଇଟି ହାଜତ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓଲ୍ଲାଇଛି ଭୁବନେଶ୍ୱର ଜିଲ୍ଲା ବିଜେପି । ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ସେହିପରି ପୁରୀରେ ବାମପନ୍ଥୀ ଦଳ ମଧ୍ୟ ଘଟଣାରେ ପ୍ରତିବାଦରେ ବିକ୍ଷୋଭ କରିଛି ।

ଏସବୁ ଭିତରେ ବଡ଼ କଥା ହେଉଛି- ମୃତ କେ. ରମେଶଙ୍କ ବାପା, ମାଆ ଏବଂ ଦାଦାଙ୍କୁ ହେପାଜତ୍ରେ ରଖିଛି ପୁଲିସ୍ । ପୁଲିସ୍ କାହିଁକି ସେମାନଙ୍କୁ ହେପାଜତରେ ରଖିଛି ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ସମ୍ପର୍କୀୟ । ଆଉ ଏହି ପୁରା ଘଟଣାରେ ପୁରୀ ପୁଲିସ୍କୁ ନେଇ ଉଠୁଥିବା ପ୍ରଶ୍ନର ଉତର ରଖିଛନ୍ତି ଏସ୍ପି । ସମାନ ଢ଼ଙ୍ଗରେ ଘଟିଥିବା ଦୁଇ ଦୁଇଟି ଘଟଣା ପୁଲିସ୍ ଉପରେ ଜନତାଙ୍କ ସନ୍ଦେହକୁ ଆହୁରୀ ଘନିଭୂତ କରିଦେଇଛି ।