କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର । ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ ରହିଛି । ଆସନ୍ତା ୨୨ରେ ମାମଲାର ପରବର୍ତୀ ଶୁଣାଣି କରାଯିବ । ନଭେମ୍ବର ୧୭ରେ ବାସେଳୀ ସାହି ଥାନାରେ କେ ରମେଶଙ୍କ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଜଣେ ଏସଆଇ ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା ।
ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ପୁରୀ ଏସ୍ପି ଡକ୍ଟର କେ.ଭି. ସିଂହ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଦର୍ଶାଇଥିଲେ ଯେ ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନ୍ ଓ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏନ୍ଏଚ୍ଆର୍ସି ଏକ ମାମଲା ରୁଜୁ କରି ପୂର୍ବ ଜୋନ୍ ସ୍ପେସାଲ ରାପୋର୍ଟିଅର ଅବସରପ୍ରାପ୍ତ ଆଇଏଏସ୍ ଡକ୍ଟର ବିନୋଦ ଅଗ୍ରୱାଲଙ୍କୁ ୪ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଅଗ୍ରୱାଲ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ କରି ରିପୋର୍ଟ ଦାଖଲ କରିବେ ।
ସେହିଭଳି ଏନ୍ଏଚ୍ଆର୍ସି ନିୟମାବଳୀ ଅନୁସାରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପ୍ରସଂଗ ନେଇ ପୁରୀ ଜିଲ୍ଲା ଓ ଦୌରାଜଜଙ୍କ ନିକଟରେ ଏସ୍ପି ଆବେଦନ କରିଥିଲେ। ଜିଲ୍ଲା ଜଜ୍ ପୁରୀ ଜେଏମଏଫସିଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଏନ୍ଏଚ୍ଆର୍ସି ନିୟମାବଳୀ ଅନୁସାରେ ଏଚ୍ଆର୍ପିସି ଡିଏସପିଙ୍କୁ ମଧ୍ୟ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ସମୟରେ ଘଟଣାର ତିନୋଟି ସ୍ବାଧୀନ ଓ ନିରପେକ୍ଷ ତଦନ୍ତ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତ ପରିବାରର ସ୍ଥିତିକୁ ଦୃଷ୍ଟିରେ ରଖି ୫ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ମଞ୍ଜୁର କରାଯାଇଛି। ମୃତକଙ୍କ ଅଭିଭାବକ ପୁଲିସ ହେପାଜତରେ ନାହାନ୍ତି। ସେମାନଙ୍କ ପ୍ରତି କୌଣସି ଦୁର୍ବ୍ୟବହାର ବା ଧମକ ନେଇ କିଛି ଅଭିଯୋଗ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/28-6.jpg)