ପୁରୀରେ ବାଣ ବିସ୍ଫୋରଣର ଛାତିଥରା କାହାଣୀ । କାଳ ରାତିର କଳା କାହାଣୀ ବଖାଣିଲେ ସ୍ଥାନୀୟ ଲୋକେ

1,142

କନକ ବ୍ୟୁରୋ : ଅତର୍କିତ ଭାବରେ ଲାଗିଲା ନିଆଁ । ବାଣ ଓ ବିସ୍ଫୋରଣ ଭୟଙ୍କର ଶବ୍ଦ, କେଇ ମିନିଟ୍ ଭିତରେ ଭକ୍ତି ଓ ଭାବବିହ୍ୱଳ ପରିବେଶକୁ କୋହ ଓ କୋଳାହଳ ପୂର୍ଣ୍ଣ କରି ଦେଇଥିଲା । ପୁରୀ ନରେନ୍ଦ୍ର ପୁଷ୍କରଣୀ ନିକଟରେ କ’ଣ ଘଟିଛି ବୁଝିଲା ବେଳକୁ ସବୁ କିଛି ଉଜୁଡ଼ି ସାରିଥିଲା ।

ଆଖି ଖୋଲି ଦେଖିଲା ବେଳକୁ କିଏ ପୁରୀ ମେଡ଼ିକାଲରେ ତ’ ଆଉ କିଏ କଟକ ଓ ଭୁବନେଶ୍ୱର ହସ୍ପିଟାଲରେ । ଭଉଁରୀ ଖେଳ ବେଳେ ଘଟିଥିବା ଅଘଟଣରେ ୩୦ରୁ ଅଧିକ ଆହତ ହୋଇଥିବା ବେଳେ ଜଣେ ନାବାଳକଙ୍କ ସହ ୩ ଜଣଙ୍କ ଜୀବନ ଚାଲିଯାଇଛି ।

ବାଣ ବିସ୍ଫୋରଣ ଘଟଣାରେ ଆହତଙ୍କୁ ଯାଇ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସେହିପରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଘୋଷଣା କରିଛନ୍ତି ।

ପୁରୀ, ଭୁବନେଶ୍ୱର, କଟକ ସମେତ ବିଭିନ୍ନ ହସ୍ପିଟାଲରେ ରଖି ଆହତଙ୍କ ଚିକିତ୍ସା କରାଯାଉଛି । ପୁରୀ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ଘଟଣା ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । ସେପେଟ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ମହାପ୍ରଭୁଙ୍କ ଭଉଁରୀ ନୀତି ସମୟରେ ପ୍ରବଳ ସମାଗମ ଥିଲା । ଠିକ୍ ଏହି ସମୟରେ ଦେବୀଘାଟ ଦସତୁଠ ନିକଟରେ ବାଣ ବିସ୍ପୋରଣ ହୋଇଥିଲା । ଲୋକଙ୍କ ଉପରେ ନିଆଁ ହୁଳାପଡ଼ିବାରୁ ପ୍ରାଣ ବିକଳରେ ଲୋକ ଦୌଡ଼ିବାରେ ଲାଗିଥିଲେ । କିଛି ଲୋକ ଜୀବନ ବିକଳରେ ନରେନ୍ଦ୍ର ପୋଖରୀ ପାଣିକୁ ମଧ୍ୟ ଡେଇଁପଡ଼ିଥିଲେ ।