ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡାକଡି ହେଲା କଟକଣା : ଅଧିକ ସଂକ୍ରମିତ ୫ ରାଜ୍ୟରୁ ଆସିଲେ ଦେଖାଇବାକୁ ପଡିବ ଆରଟିପିସିଆର ନେଗେଟିଭ୍ ରିପୋର୍ଟ

ଦୁଇଟି ଡୋଜ୍ ଟିକା ନେଇଥିଲେ ମିଳିବ ପ୍ରବେଶ ଅନୁମତି ; କରୋନା ନିୟମ କଡାକଡି ପାଳନ ପାଇଁ ହୋଟେଲ ଗୁଡିକୁ ନିର୍ଦ୍ଦେଶ

108

କନକ ବ୍ୟୁରୋ : ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଇଲା ପୁରୀ ଜିଲ୍ଲା ପ୍ରଶାସନ । ୫ ସର୍ବାଧିକ ସଂକ୍ରମିତ ରାଜ୍ୟରୁ ଆସିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର , କେରଳ ଓ ପଂଜାବରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ଲାଗୁ ହୋଇଛି । ୭୨ ଘଂଟା ମଧ୍ୟରେ କୋଭିଡ୍ ଟେଷ୍ଟ କରି ରିପୋର୍ଟ ନେଗେଟିଭ୍ ନଥିଲେ, ୭ ଦିନ ସଂଗରୋଧରେ ରହିବାକୁ କୁହାଯାଇଛି ।

ଏହାବାଦ୍ କରୋନାର ୨ଟି ଡୋଜ୍ ଟିକା ନେଇଥିଲେ, ଏହି ୫ ରାଜ୍ୟରୁ ପୁରୀକୁ ପ୍ରବେଶ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ୭ ଦିନରେ ସଂଗରୋଧରେ ରହିଥିଲେ ମଧ୍ୟ ପ୍ରବେଶ ଅନୁମତି ମିଳିବ । ପୁରୀ ଷ୍ଟେସନରେ ଯାତ୍ରୀ ମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ଲକ୍ଷଣ ଥିଲେ ନମୂନା ସଂଗ୍ରହ କରି ୭ ଦିନ ସଂଗରୋଧରେ ରହିବା ପାଇଁ କୁହାଯାଇଛି । ସେହିପରି ପୁରୀର ସମସ୍ତ ହୋଟେଲକୁ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।