ଭଗବାନଙ୍କ ଭରସାରେ ଜିଲ୍ଲାପାଳ! କହିଲେ, ଚମତ୍କାର ହେଲା, ଚାବି ମିଳିଗଲା

53

କନକ ବ୍ୟୁରୋ : ରତ୍ନଭଣ୍ଡାରର ଡ଼ୁପ୍ଲିକେଟ ଚାବି ଗତକାଲି ଜିଲ୍ଲା ରେକର୍ଡ଼ ରୁମରୁ ମିଳିବା ପରେ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଟ୍ରେଜେରୀରେ ଚାବି ରହିବା ବଦଳରେ ଏହା ଜିଲ୍ଲା ରେକର୍ଡ଼ ରୁମକୁ କିଭଳି ଆସିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏନେଇ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପ୍ରେସମିଟ୍ କରି କହିଛନ୍ତି, ଚାବି ହଠାତ୍ ମିଳିଲା ଓ ଏବେ ଏହାକୁ ତଦନ୍ତ କମିଶନକୁ ଦିଆଯିବ । କିନ୍ତୁ ରତ୍ନଭଣ୍ଡାର ଚାବିକୁ ନେଇ ଲୁଚାଇବାର କିଛି ନାହିଁ ଯାହା ସତ ତାହା ପଦାକୁ ଆସିବ । ସମସ୍ତ ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ । ଏପରିିକି ତଦନ୍ତ କମିଶନ ଆଗରେ ଯାହା କହିବା କଥା ତାହା କହିବି ବୋଲି କହିଛନ୍ତି ଅରବିନ୍ଦ । ତାଙ୍କର ଜଗନ୍ନାଥଙ୍କ ଉପରେ ଭରଷା ଅଛି, ସେ ଭୁଲ କରି ନାହାନ୍ତି ବୋଲି କହିଛନ୍ତି ।

ଏହାସହ ଅରବିନ୍ଦ କହିଛନ୍ତି, ଚିଠି ପାଇବା ପରେ ଚାବି ଖୋଜିବା ଆରମ୍ଭ ହୋଇଥିଲା । ହଠାତ୍ ଜିଲ୍ଲା ରେକର୍ଡ଼ ରୁମରୁ ବନ୍ଦ ଲଫାଫା ମଧ୍ୟରୁ ଚାବି ମିଳିବା ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ହଠାତ୍ ଚାବି ମିଳିବା ମହାପ୍ରଭୁ ଜଗନ୍ନାଥଙ୍କର ଏକ ଚମତ୍କାର । ମହାପ୍ରଭୁଙ୍କର ଆଉ ଏକ ଲୀଳା ବୋଲି ସେ କହିଛନ୍ତି । ଏପରିକି ଗତ କିଛିଦିନ ହେବ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଜଗନ୍ନାଥଙ୍କ ନିକଟରେ ହାତ ଟେକି ଦେଇଥିଲେ । ଆଉ ହଠାତ୍ ରେକର୍ଡ଼ ରୁମରୁ ମିଳିଥିଲା ବନ୍ଦ ଲଫାଫା । ଯେଉଁଥିରେ ଲେଖା ରହିଛି, ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି । ତେବେ ଲଫାଫା ଭିତରେ କଣ ଅଛି ତାହା ଖୋଲିଲେ ଜଣାପଡ଼ିବ ବୋଲି କହିଛନ୍ତି ଜିଲ୍ଲାପାଳ ।