ପିପିଲି ଉପନିର୍ବାଚନ ନେଇ ପୁରୀ ଜିଲ୍ଲାପାଳଙ୍କ ସୂଚନା । ହେଇପାରିବନି ବାଇକ୍ ଓ ସାଇକେଲ୍ ଶୋଭାଯାତ୍ରା ।

138

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ବୈଠକର ନିଷ୍ପତ୍ତି ଅନୁସାରେ ଉପନିର୍ବାଚନ ବେଳେ କୌଣସି ବାଇକ କିମ୍ବା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ନାହିଁ । ଦଳୀୟ ପ୍ରଚାର ବୈଠକରେ ସର୍ବାଧିକ ୨ଶହ ଲୋକ କିମ୍ବା ବସିବା କ୍ଷମତାର ୩୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ । ଷ୍ଟାର ପ୍ରଚାରକଙ୍କ ସହ ୧ ହଜାର ଲୋକ କିମ୍ବା ବସିବା କ୍ଷମତାର ସର୍ବାଧିକ ୫୦ପ୍ରତିଶତ ଲୋକ ଯୋଗ ଦେଇପାରିବେ ।

ଜାତୀୟ ଦଳ ପାଇଁ ଷ୍ଟାର ପ୍ରଚାରକ ୨୦ଜଣ ଓ ଅଣପଞ୍ଜିକୃତ ଦଳ ପାଇଁ ୧୦ଜଣ ରହିପାରିବେ । ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ପାଇଁ ଜାରି ହୋଇଛି ଏକ ଟୋଲ ଫ୍ରୀ ନମ୍ବର । ୧୯୫୦ ନମ୍ବରରେ କଲ କରି ଅଭିଯୋଗ କରିହେବ । ଏହି ବୈଠକରେ ନିର୍ବାଚନ ଅଧିକାରୀ ଜିଲ୍ଲା ସ୍ତରୀୟଅଧିକାରୀ ମାନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସେପଟେ ଉପନର୍ବିାଚନ ପାଇଁ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ ଲକ୍ଷ ୨୯ହଜାର ୯୯୮ ମତଦାତା ରହିଛନ୍ତି । ୩୪୮ଟି ବୁଥ ଥିବା ବେଳେ ୧୫ଟି ମଡେଲ ବୁଥ କରାଯାଇଛି । ପିପିଲି ନିର୍ବାଚନ ମଣ୍ଡଳୀରେ ମୋଟ ୧୦୨ଟି ଅତି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୭୩ଟି ସମ୍ବେଦନଶୀଳ ବୁଥ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।