କନକ ବ୍ୟୁରୋ : କୋଭିଡ ସ୍ଥିତି ସ୍ୱାଭାବିକ ହେବା ପରେ ଏଥର କଟକଣା ମୁକ୍ତ ରଥଯାତ୍ରା କରିବା ନେଇ ତର୍ଜମା ଚାଲିଛି । ୨ ବର୍ଷ ପରେ ସଂପୂର୍ଣ୍ଣ କଟକଣା ମୁକ୍ତ ରଥଯାତ୍ରା କରିବା ନେଇ ପ୍ରଶାସନ ପକ୍ଷରୁ ବିଚାର କରାଯାଉଛି । ଯଦି ଏଥର କଟକଣା ମୁକ୍ତ ରଥଯାତ୍ରା ହୁଏ ତେବେ ପ୍ରବଳ ଗହଳି ହୋଇପାରେ । ଆଜି ପ୍ରଥମ ସମନ୍ୱୟ ବୈଠକରେ ଭକ୍ତଙ୍କ ସମାଗମ ନେଇ ଆଲୋଚନା ହୋଇଛି । କରୋନା ଯୋଗୁଁ ଦୁଇବର୍ଷ ହେଲା ରଥ ଯାତ୍ରାରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନଥିଲା । ତେଣୁ ଆକଳନ କରାଯାଉଛି, ଏଥର ରଥଯାତ୍ରାରେ ନବକଳେବର ଭଳି ଭକ୍ତଙ୍କ ଗହଳି ହୋଇପାରେ ।

Advertisment

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ବିଗତ ବର୍ଷମାନଙ୍କ ଅପେକ୍ଷା ପ୍ରାୟ ଦେଢରୁ ଦୁଇ ଗୁଣା ଅଧିକ ଭକ୍ତ ଏବର୍ଷ ରଥଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ର ଆସିପାରନ୍ତି । ପାଖାପାଖି ୧୨ରୁ ୧୫ଲକ୍ଷ ଭକ୍ତ ଘୋଷଯାତ୍ରାରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେଣୁ ଏତେ ସଂଖ୍ୟକ ଭକ୍ତ ଗହଳିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ପ୍ରଶାସନ । ରଥଯାତ୍ରା ସମୟରେ କେବଳ ଦୁଇଟି ଡୋଜ ଟିକା ଓ ବୁଷ୍ଟର ଡୋଜ ନେଇଥିବା ଲୋକେ ପୁରୀ ଆସିବାକୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ ।

ଅନ୍ୟପଟେ ଚଳିତ ବର୍ଷ ରଥଯାତ୍ରା କଟକଣା ମୁକ୍ତ ହେଲେ ଲକ୍ଷାଧିକ ଭକ୍ତ ହୋଇପାରନ୍ତି । ତେଣୁ ଏହାପୂର୍ବରୁ ୟୁନେସ୍କୋକୁ ଅବଗତ କରାଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ଯଦି ସୁଚାରୁ ଭାବେ ରଥଯାତ୍ରା କାମ ଶେଷ ହୋଇଯାଏ ତାହାଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋକୁ ମାନ୍ୟତା ମିଳିପାରେ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ।