ଫୋନି ସହାୟତା ନାଁରେ ନକଲି ଫର୍ମ ବିକ୍ରି ଘଟଣା । ପୁରୀ ଜିଲ୍ଲାପାଳ କହିଲେ, ଫୋନି ସହାୟତା ପାଇଁ ଆଉ ହେବନି ଯାଞ୍ଚ, ଗୁଜବକୁ ଦିଆନଯାଉ ପ୍ରଶୟ ।

356

କନକ ବ୍ୟୁରୋ : ଫୋନି ସହାୟତା ନାଁରେ ଫର୍ମ ବିକ୍ରି ଓ ସହାୟତା ସଂପର୍କରେ ସ୍ପଷ୍ଟିକରଣ ରଖିଛନ୍ତି ପୁରୀ ଜିଲ୍ଲାପାଳ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଜି ପ୍ରଶାସନ କହିଛି ଯେ, ଫୋନି ସହାୟତା ନାଁରେ ଫର୍ମ ବିକ୍ରି ଏକ ଗୁଜବ । ଏମିତି କି ସହାୟତା ପାଇଁ ଆଉ କୌଣସି ନୂଆ ଯାଂଚ ହେବାର ସୁଯୋଗ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଫୋନି ଫର୍ମକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସ୍ପଷ୍ଟିକରଣ ରଖିଛନ୍ତି ପୁରୀ ଜିଲ୍ଲାପାଳ । ଫୋନି ସହାୟତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ତହସିଲ ଅଫିସ୍ ଯାଏଁ ଯେଉଁ ଭିଡ ହେଉଛି, ତାହା ଗୁଜବ ଉପରେ ଆଧାରିତ ବୋଲି ଜିଲ୍ଲାପାଳ କହିଛନ୍ତି । ଏମିତି କି ସହାୟତା ପାଇଁ ଆଉ କୌଣସି ନୂଆ ଯାଂଚ ହେବାର ସୁଯୋଗ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବାତ୍ୟାର ୬ ମାସ ପରେ ବର୍ଷା କିମ୍ବା ଅନ୍ୟ କାରଣରୁ ଘର ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଛି, ତେଣୁ ପୁଣି ଥରେ ଯାଞ୍ଚ କରି କ୍ଷତିପୂରଣ ଦେବା ସଂଭବ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ତେବେ ଯଦି ଅଯୋଗ୍ୟ ହିତାଧିକାରୀ ଫୋନି ସହାୟତା ପାଇଛନ୍ତି, ଏ ସଂପର୍କରେ ଅଭିଯୋଗ କରିପାରିବେ ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏମିତି କି ଯେଉଁ କିଛି ଅଯୋଗ୍ୟ ହିତାଧିକାରୀ ଫୋନି ସହାୟତା ନେଇଛନ୍ତି, ତାଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଗତକାଲି ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଥିଲା କନକ ନ୍ୟୁଜ୍ । ଯେତେବେଳେ ବାତ୍ୟା ସହାୟତା ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । ଆଉ ଲୋକଙ୍କ ଏହି ଭିଡକୁ ଦେଖି କିଛି ଅସାଧୁ ବ୍ୟକ୍ତି ବାତ୍ୟା ସହାୟତା ପାଇଁ ନକଲି ଫର୍ମ ବିକ୍ରି କରୁଥିଲେ । ଧଳା ଫର୍ମ ପିଛା ୫ଟଙ୍କା ଏବଂ ନାଲି ଫର୍ମ ପିଛା ୧୦ ଟଙ୍କାରେ ବିକ୍ରି ହେଉଥିବା ନେଇ ରିପୋର୍ଟ ପ୍ରକାଶ କରିଥିଲା କନକ ନ୍ୟୁଜ୍ ।