ପୁରୀରେ ପୁଣି ଆରମ୍ଭ ହେବ ଉଚ୍ଛେଦ କାମ । ଶ୍ରୀମନ୍ଦିରଠାରୁ ୭୫ ମିଟର ଯାଏଁ ଖାଲି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ

ଡିସେମ୍ବର ୪ରେ ସରିବ ଜମି ହସ୍ତାନ୍ତର ପାଇଁ ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜର ମିଆଦ

157

କନକ ବ୍ୟୁରୋ: କାର୍ତ୍ତିିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ମାସେ ଧରି ବନ୍ଦ ରହିଥିବା ଉଚ୍ଛେଦ କାମ ପୁଣି ଥରେ ଆରମ୍ଭ ହେଉଛି । ଶ୍ରୀମନ୍ଦିରଠାରୁ ୭୫ ମିଟର ସୁରକ୍ଷା ଜୋନ୍ ଭିତରେ ଆସୁଥିବା ସମସ୍ତ ସ୍ଥାନକୁ ଖୁବଶୀଘ୍ର ଉଚ୍ଛେଦ କରିବାକୁ ଉଦ୍ୟମ କରୁଛି ପୁରୀ ପ୍ରଶାସନ । ଯେଉଁ ଘର ମାଲିକ, ଦୋକାନୀ କିଂବା ହୋଟେଲ୍ ମାଲିକ ଉଚ୍ଛେଦ ନେଇ ଏବେ ବି ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କ ସହିତ ଆଲୋଚନା ଚାଲିଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ତେବେ ଉଛେଦ ବେଳେ ଜାଗା ଛାଡୁଥିବା ଲୋକଙ୍କ ପାଇଁ ପୁରୀ ପ୍ରଶାସନ ଯେଉଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ, ତାର ଅବଧି ଆସନ୍ତା ଡିସେମ୍ୱର ୪ ତାରିଖରେ ଶେଷ ହେବ । ଏହି ସମୟ ମଧ୍ୟରେ ଯେଉଁମାନଙ୍କର ଜମି ଅଧିଗ୍ରହଣ ହେବ ସେମାନଙ୍କୁ ଅଧିକ ୧୦ ପ୍ରତିଶତ ମୂଲ୍ୟ ମିଳିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟ ପରେ ଯେଉଁମାନଙ୍କର ଜମି ଅଧିଗ୍ରହଣ ହେବ ସେମାନଙ୍କୁ ଏହି ୧୦ ପ୍ରତିଶତ ଅଧିକ ଅର୍ଥ ମିଳିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।