ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି ପୁରୀ ବସଷ୍ଟାଂଡ : ପାଣି କାଦୁଅରେ ପଶି ବସକୁ ଯାଉଛନ୍ତି ଯାତ୍ରୀ

30

କନକ ବ୍ୟୁରୋ : ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି ବସଷ୍ଟାଂଡ । ପାଣି କାଦୁଅରେ ପଶି ବସକୁ ଯାଉଛନ୍ତି ଯାତ୍ରୀ । ବସରୁ ଓହ୍ଲେଇ ବର୍ଷା ପାଣିରେ ପଶି ବଡଦାଣ୍ଡକୁ ଆସୁଛନ୍ତି ପର୍ଯ୍ୟଟକ । ମରାମତି ଅଭାବ ଯୋଗୁଁ ପୁରୀର ସର୍ବପୁରାତନ ବସଷ୍ଟାଂଡରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ପାଣି କାଦୁଅ ଭରା ବସଷ୍ଟାଂଡ । ଆପଣ ଯୁଆଡେ ଆଖି ବୁଲେଇବେ ଖାଲି ପାଣି ଆଉ ପାଣି । ତିନି ଦନ ତଳେ ହୋଇଥିଲା ବର୍ଷା, ହେଲେ ଏଯାଏଁ ଜମି ରହିଛି ପାଣି । କେବଳ ବସଷ୍ଟାଂଡ ଭିତରେ ଯେ, ବର୍ଷା ପାଣି ଜମୁଛି ତା ନୁହେଁ ଷ୍ଟାଂଡକୁ ଘେରି ରହିଥିବା ପାଚେରୀ କଡ ବି ସେହିପରି । ଗୁଣ୍ଡିଚାମନ୍ଦିର ନିକଟରେ ଥିବା ବସଷ୍ଟାଂଡରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏହି ବସଷ୍ଟାଂଡରେ ପ୍ରତିଦିନ ଶହଶହ ପର୍ଯ୍ୟଟକ ଯା’ଆସ କରିଥାନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବସ ଯୋଗେ ଶ୍ରୀକ୍ଷେତ୍ର ଆସୁଥିବା ପର୍ଯ୍ୟଟକ ଏଠି ଓହ୍ଲାନ୍ତି ଆଉ ପାଣି କାଦୁଅ ଚକଟି ବଡଦାଣ୍ଡକୁ ଯାଉଛନ୍ତି ।

ପୁରୀ ବସ୍ ଷ୍ଟାଂଡର ମରାମତି ପାଇଁ ୨୦୧୪ ଅକ୍ଟୋବରରେ ୨କୋଟି ଟଙ୍କା ମଂଜୁର ହୋଇଥିଲା । ପୌର ସଂସ୍ଥା କାମ କରିବାକୁ ଥିବା ବେଳେ ଆଇନଗତ ପ୍ରତିବନ୍ଧକ ଯୋଗୁଁ କାମ ହୋଇପାରିନଥିଲା । ପରେ ୨୦୧୬ରେ ନବକଳେବର ଭିତ୍ତିଭୂମୀ ତଦାରଖ କମିଟି ଅଧ୍ୟକ୍ଷ ମହେଶ୍ୱର ସାହୁ ଓ ପୌରାଧ୍ୟକ୍ଷ ଜୟନ୍ତ ଷଡଙ୍ଗୀ ପୁନରୁଦ୍ଧାର କାମର ଶିଳାନ୍ୟାସ କରିଥିଲେ । ଏହାରି ଭିତରେ ବର୍ଷେ ବିତି ଗଲାଣି ହେଲେ, ହେଲେ ଅବସ୍ଥା ଯେମିତିକୁ ସେମିତି । ବସ୍ ମାଲିକ ସଂଘର ଅଭିଯୋଗ, ବାରମ୍ବାର ଟେଣ୍ଡର ହେଉଛି, ହେଲେ କାମ ହେଉନି । ସେପଟେ ମରାମତି କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।