କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଛି ପୁରୀ ସହର। ଗତକାଲି ରାତିରେ କିଛି ଯୁବକ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଥିବା ତିନୋଟି ଦୋକାନ ଉପରକୁ ଲଗାତାର ବୋମାମାଡ କରିଛନ୍ତି। ଘଟଣାସ୍ଥଳରେ ଏକାଧିକ ବୋମା ପକାଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ଦାଦାବଟିକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ବୋମାମାଡ଼ ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଦୋକାନର ଜିନିଷପତ୍ର ନଷ୍ଟ ହୋଇଛି। କୁମ୍ଭାରପଡ଼ା ଥାନା ପୁଲିସ ଦୋକାନରେ ଥିବା ସିସିଟିଭି କ୍ୟାମେରାରୁ ଫୁଟେଜ୍ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତି ସୁଦ୍ଧା ଅଭିଯୁକ୍ତକୁ ପୁଲିସ କାବୁ କରିବାରେ ସଫଳ ହୋଇଛି।
ଘଟଣାରୁ ପ୍ରକାଶ ଯେ, କିଛି ଦୁର୍ବୃତ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଉମାଶଙ୍କର ଜେନେରାଲ ଷ୍ଟୋର ଏବଂ ଏହାର ପାଖରେ ଥିବା ଶ୍ରୀଗୁଣ୍ଡିଚା ସ୍ନାକ୍ସ ଓ ଏକ ଅରୁଆ ହୋଟେଲକୁ ଆସି ଦାଦାବଟି ମାଗିଥିଲେ।

Advertisment

publive-imageମାତ୍ର ଦାଦାବଟି ଦେବାକୁ ଦୋକାନ ମାଲିକ ମନୋରଞ୍ଜନ ମାଝି, ବାପି ଓ ବାବୁଲି ସିଧା ସିଧା ମନା କରିଥିଲେ। ପରେ ଦୁର୍ବୃତ୍ତମାନେ ରାତି ପ୍ରାୟ ସାଢେ ୧୦ଟାରେ ସେଠାକୁ ଆସି ପୁଣି ଦାଦାବଟି ମାଗିଥିଲେ। ଦୋକାନୀମାନେ ମନା କରିବାରୁ ବାହାନ ଓ ତାର କିଛି ସହଯୋଗୀ ତିନୋଟି ଦୋକାନରେ ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନରେ ଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି। ଏହି ଘଟଣାରେ ପୁଲିସ କିଛି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁରୀରେ ଏବେ ଦାଦାବଟିକୁ ନେଇ ବାରମ୍ବାର ଗୁଳି, ବୋମା ଫୁଟୁଛି। ପୁଲିସ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବା କିଛି ଦୋକାନୀ ଅଭିଯୋଗ କରିଛନ୍ତି।