ପୁରୀ ବିଜେପିକୁ ଝଟକା । ‘ପଦ୍ମ’କୁ ବାଏ ବାଏ କରି ‘ଶଙ୍ଖ’ ଶିବିରରେ ଏଣ୍ଟ୍ରି ମାରିଲେ କୃଷ୍ଣ ।

450

କନକ ବ୍ୟୁରୋ: ପୁରୀ ବିଜେପିକୁ ବଡ଼ ଝଟକା । ଗତକାଲି ‘ପଦ୍ମ’ ଶିବିରକୁ ବାଏ ବାଏ କରିଥିବା କୃଷ୍ଣଚନ୍ଦ୍ର ପଣ୍ଡା ବିଜେଡି କ୍ୟାମ୍ପକୁ ଏଣ୍ଟ୍ରି କରିଛନ୍ତି । ଗତକାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ସହ ଦଳରୁ ଇସ୍ତଫା ଦେଇଥିଲେ କୃଷ୍ଣଚନ୍ଦ୍ର ପଣ୍ଡା । ଦଳ ଅଣଦେଖା ଓ ତାଙ୍କ ବିରୋଧଷର ଷଡ଼ଯନ୍ତ୍ର କରିଥିବା ଦର୍ଶାଇ ଇସ୍ତଫା ଦେଇଥିଲେ କୃଷ୍ଣ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ କୃଷ୍ଣ ରାଜ୍ୟ ନେତୃବୃନ୍ଦଙ୍କ ବିରୋଧରେ ବିଷୋଦଗାର କରିଥିଲେ । କହିଥିଲେ, ପୁରୀ ବିଧାନସଭା ପାଇଁ ବିଜେପି ମୋତେ ଚଳିତଥର ପ୍ରାର୍ଥୀ କରିବାକୁ ଲିଖିତ ନିର୍ଦ୍ଦେଶ ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ଚଞ୍ଚକତା କରି ମୋ ପ୍ରାର୍ଥୀପତ୍ରକୁ ନାକଚ କରି ଅନ୍ୟଦଳର ନେତାଙ୍କୁ ପ୍ରାର୍ଥୀ କରିବା ମୋତେ ମର୍ମାହତ କରିଛି ।

ଏପରିକି ଦୀର୍ଘ ୧୬ ବର୍ଷ ଧରି ବିଜେପି ପାଇଁ ଦିନରାତି ଏକ କରି କାର୍ଯ୍ୟ କରୁଆସୁଥିଲେ ମଧ୍ୟ ଚଳିତ ନିର୍ବାଚନରେ ମୋ ପ୍ରାର୍ଥୀପତ୍ରକୁ ନାକଚ କରି ବିଜେପି ଯେଉଁଭଳି ମୋ ସହିତ ଛଳନା କରିଲେ ତେଣୁ ମୁଁ ବିଜେପି ଛାଡ଼ିଲି । ହେଲେ ଶାସକ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୋ ସ୍ୱାଭିମାନକୁ ରକ୍ଷା କରି ବିଜେଡିରେ ସାମିଲ ହୋଇଛି ବୋଲି କହିଛନ୍ତି କୃଷ୍ଣ । ଏପରିକି ଆଗାମୀ ଦିନରେ ହେବାକୁଥିବା ନିର୍ବାଚନରେ ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ ବିପୁଳ ଭୋଟରେ ବିଜୟ କରିବାକୁ ସହଯୋଗ କରିବି ବୋଲି କହିଛନ୍ତି କୃଷ୍ଣ ।