କନକ ବ୍ୟୁରୋ : ଜନ୍ମଦେଦୀରେ ସରିଲା ଲୀଳାଖେଳା। ଆଡ଼ପମଣ୍ଡରୁ ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ବାହୁଡ଼ିଲେ ଦାରୁବ୍ରହ୍ମ । ଏହି ସମୟରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଜମିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । କାଳିଆର ଚକା ଆଖିରେ ଆଖି ମିଶାଇ ଭକ୍ତିର ଅର୍ଘ୍ୟ ଅର୍ପଣ କରିଥିଲେ ଭକ୍ତ । ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦ୍ଦିଗ । କାଳିଆ ସାଆନ୍ତଙ୍କୁ ଶ୍ରୀମନ୍ଦିର ପାଛୋଟି ନେବାକୁ ବିଭିନ୍ନ ବେଶରେ ଆସି ପାରମ୍ପରିକ ନୃତ୍ୟ ପରିବେଶଣ କରିଥିଲେ ଭକ୍ତ । ପ୍ରଶାସନ ଓ ସେବାୟତଙ୍କ ତତ୍ପରତା ଯୋଗୁଁ ନିର୍ଦ୍ଧାରିତ ସମୟରେ ସୁରୁଖୁରୁରେ ସରିଛି ନୀତିକାନ୍ତି ।

Advertisment

ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ତିନି ଠାକୁର । ଆଡ଼ପ ମଣ୍ଡପରୁ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିତ ହୋଇଥିଲେ । ଟହିଆ ସହ ମହାପ୍ରଭୁଙ୍କ ଝୁଲି ଝୁଲି ଆସିବାର ଏହି ଦୃଶ୍ୟ ଦେଖିପରେ ବଢୁଥିଲା ଶ୍ରଦ୍ଧାଳୁଙ୍କ ହୃଦସ୍ପନ୍ଦନ । ଘଣ୍ଟଘଣ୍ଟାର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ଶ୍ରୀକ୍ଷେତ୍ର । ସବୁଠି ଶୁଭୁଥିଲା ଜୟ ଜଗନ୍ନାଥ ଧ୍ବନି ।

ତିନି ରଥରେ ବିରାଜିତ ଶ୍ରୀବିଗ୍ରହଙ୍କ ସେବା ପାଇଁ ପହଁଚିଥିଲେ ଆଦ୍ୟ ସେବକ ଗଜପତି ମହାରାଜ । ରଥ ଉପରେ ଛେରାପହଁରା ପାଇଁ ସୁସଜ୍ଜିତ ପାଲିଙ୍କି ତାମଯାନ୍ରେ  ଆସିଥିଲେ । ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରାପହଁରା । ସୁନା ଖଡ଼ିକାରେ ତିନ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହି ନୀତି ପରେ ଚାରମାଳ ଖୋଲାଯିବା ସହ ରଥରେ ଘୋଡ଼ା ଯଚା ଯାଇଥିଲା ।

ବାହୁଡ଼ା ଯାତ୍ରା ପାଇଁ ନିର୍ଦ୍ଧାରିତ ସମୟରେ ହୋଇଛି ସମସ୍ତ ନୀତି । ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିଥିଲେ ଭକ୍ତ । ପରେ ଗଡ଼ିଥିଲା ଯୋଗମାୟା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶେଷରେ ଘୋର ଘର୍ଘର ନାଦ କରି ଗଡ଼ିଥିଲା ନନ୍ଦିଘୋଷ । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ଇଥିଲେ କାଳିଆ ଠାକୁର। ଜଗବନ୍ଧୁ ଜଗନ୍ନାଥଙ୍କ ରଥ ଦଉଡ଼ିକୁ ଟାଣିଥିଲେ ଭକ୍ତ । ଭଗବାନ ଓ ଭାକ୍ତଙ୍କ ଏହି ଅପୂର୍ବ ମିଳିନର ଦୃଶ୍ୟ ଦେଖି ବିମୋହିତ ହୋଇଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ ।