କନକ ବ୍ୟୁରୋ: ପୁରୀ ଲୋକନାଥ ରୋଡସ୍ଥିତ ଗୁରୁକୃପା ଆଶ୍ରମରେ ବାବାଜି ଅର୍ଜୁନ ବାବାଙ୍କୁ ସେହି ମଠର ଆଉ ଜଣେ ବାବା ବୀଭତ୍ସଭାବେ ହତ୍ୟା କରିଛନ୍ତି । ମୋହ ମାୟା ତ୍ୟାଗକରି ମଠରେ ରହୁଥିବା ବାବା ରକ୍ତମୁଖା ହେବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Advertisment

ଶୁକ୍ରବାର, ଦିନ ପ୍ରାୟ ୫ଟା, ସ୍ଥାନ-ପୁରୀ ଗୁରୁକୃପା ଆଶ୍ରମ । ଆଶ୍ରମ ଭିତରେ ବିଶ୍ରାମ ନେଉଥିଲେ ପଶ୍ଚିମବଙ୍ଗରୁ ଆସି ଏଠାରେ ରହୁଥିବା ବାବା ଅର୍ଜୁନ ଦାସ । ଏହି ସମୟରେ ତାଙ୍କୁ କାଠଫାଳିଆରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିଲେ ଗଞ୍ଜାମ  ଭଂଜନଗରରୁ ଆସି ରହୁଥିବା ରବୀନ୍ଦ୍ର ଜେନା ଓରଫ ବିଷ୍ଣୁ ବାବା । ବିଷ୍ଣୁବାବାଙ୍କ କ୍ରୋଧ ଏତିକିରେ କମିନଥିଲା । ରକ୍ତମୁଖା ହୋଇ ଆଶ୍ରମର ଅନ୍ତୋବାସୀଙ୍କୁ ଆକ୍ରମଣ କରି ଆହତ ବି କରିଥିଲେ । ତେବେ ହତ୍ୟା ପଛର  କାରଣ କଣ ତାହା ଏବେ ବି ଅସ୍ପଷ୍ଟ ରହିଛି ।

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ମୃତ ଅର୍ଜୁନ ଦାସଙ୍କ ଦୁଇ ଗୋଡ ଭାଙ୍ଗିଯିବା ସହ ମୁଣ୍ଡ ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଛି । ଅନ୍ତେବାସୀ ବି କହିଛନ୍ତି, ଅଭିଯୁକ୍ତ ବିଷ୍ଣୁ ବାବା ନିଶା ଖାଇ ବାହାରୁ ଆସିଥିଲା । କୁହାଯାଉଛି, ମୃତ ବାବା ମୁଣ୍ଡରେ ନାଲି ସିନ୍ଦୂର ପିନ୍ଧୁଥିଲେ । ତେଣୁ ଏହାପଛରେ ଅତ୍ୟଧିକ ନିଶାସେବନ ନା ତନ୍ତ୍ରସାଧନା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହତ୍ୟା ପରେ ପାଇଖାନାରେ ଲୁଚିଥିବାବେଳେ ଅଭିଯୁକ୍ତକୁ ଧରିଛି ପୁଲିସ । କାଠଫାଳିଆକୁ ଜବତ କରି ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତକୁ ଜୋରଦାର କରିଛି ।

ଆଶ୍ରମ ପରିସରରେ ମାତ୍ର କେଇ ମିନିଟ ଭିତରେ ଏଭଳି ଘଟଣା ଘଟିବାକୁ ହଠାତ୍ କେହି ବିଶ୍ୱାସ କରିପାରୁନାହାନ୍ତି । ରଥଯାତ୍ରା ସରୁ ସରୁ ପୁରୀରେ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ପ୍ରଶ୍ନ ଉଠୁଛି । ଦୁଇଦିନ ମଧ୍ୟରେ ସହରରେ ଗୁଳିକାଣ୍ଡ ଓ ବୋମାମାଡ ପରେ ଏଭଳି ହତ୍ୟାକୁ ନେଇ ପୁରୀବାସୀ ଆତଙ୍କିତ ହୋଇପଡିଛନ୍ତି ।