ବାହୁଡା ଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନର ବଡ ପ୍ରସ୍ତୁତି । ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ହେଲା ଆଲୋଚନା

124

କନକ ବ୍ୟୁରୋ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡାଯାତ୍ରା । ଆଜି ରାତି ୮ଟାରୁ ୨୧ ତାରଖ ରାତି ୮ଟା ଯାଏଁ ପୁରୀ ଜାରି ହେବ କର୍ଫ୍ୟୁ । ନିଳାଦ୍ରୀ ଭକ୍ତ ନିବାସରେ ବସିଥିଲା ବୈଠକରେ ମହାବାହୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହୋଇଛି । କୋଭିଡ କଟକଣା ଭିତରେ ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ହୋଇଛି ଆଲୋଚନା ।

ଶ୍ରୀମନ୍ଦିର ପ୍ରଶାସକ କହିଲେ, କୋଭିଡ କଟକଣା ଭିତରେ ସମ୍ପୂର୍ଣ୍ଣ ହେବ ସମସ୍ତ ନୀତିକାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ସଂଧ୍ୟା ଦର୍ଶନ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ କାର୍ଯ୍ୟ ସହିତ ପୁଲିସର ଏନଫୋର୍ସମେଂଟ ଉପରେ ସମୀକ୍ଷା ହୋଇଛି । ବୈଠକରେ ବାହୁଡାଯାତ୍ରା ପ୍ରସ୍ତୁତି ଉପରେ ବିସ୍ତୁତ ଆଲୋଚନା କରାଯାଇଛି । ଆସନ୍ତାକାଲି ସକାଳ ୮ଟା ସୁଦ୍ଧା ପହଣ୍ଡି ନୀତି ସାରି ଦିନ ୧୨ଟା ସୁଦ୍ଧା ରଥଟଣା କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି । ବାହୁଡା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ବଡଦାଣ୍ଡରେ ଅମାନିଆଙ୍କ ଉପରେ ନଜର ରଖିବା ପାଇଁ ୨୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

ସେପଟେ ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଏହା ଜନ୍ମବେଦୀରେ ଶେଷ ଦର୍ଶନ । ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଏଥର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି । ରାତି ୧୦ଟା ଭିତରେ ଏହି ନୀତିକୁ ସମ୍ପନ୍ନ କରି ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତି ହୋଇଛି ।