ପୁରୀ କଣାସ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୫ଶହକୁ ବୃଦ୍ଧି : ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ୩୦ ଶିଶୁ; ସଂଗ୍ରହ ହେଲା ଖାଦ୍ୟ ଓ ପାଣି ନମୁନା

ଗାଁରେ ଚିକିତ୍ସା ଯୋଗାଇଲା ୩ଟି ରାପିଡ ରେସପନ୍ସ ଟିମ୍

59

କନକ ବ୍ୟୁରୋ : ପୁରୀ କଣାସ ପଂଚାୟତ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୫ଶହକୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଭିତରେ ୩୦ ଶିଶୁ ଅଛନ୍ତି । ଜଣେ ପରେ ଜଣେ ଅସୁସ୍ଥ ହୋଇପଡିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପହଂଚି ତଦନ୍ତ କରିଥିବାବେଳେ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ସହନା ଗାଁର ମାନଗୋବିନ୍ଦ ଜୟସିଂଙ୍କ ବଡପୁଅର ବିବାହ ହୋଇଥିଲା ଗତ ୨ ତାରିଖରେ । ଶୁକ୍ରବାର ରାତିରେ ଗାଁରେ ଭୋଜି ଦିଆଯାଇଥିବାବେଳେ ଖାଇଥିଲେ ପ୍ରାୟ ୨ ହଜାର ଲୋକ ।

ସାମ୍ବାଦିକ, ଶିକ୍ଷକ, ପୋଲିସ, ତହସିଲ ଓ ବ୍ଲକ କର୍ମଚାରୀ ବି ଭୋଜି ଖାଇଥିଲେ । ହେଲେ ବିଳମ୍ବିତ ରାତିରେ ଅଚାନକ ଛାଡାବାନ୍ତି ଆରମ୍ଭ ହୋଇଯାଇଥିଲା । ଧିରେଧିରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହରେ ପହଂଚିଗଲା । କେଇ ଘଂଟା ଭିତରେ ଭର୍ତି ହୋଇଗଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଭୋଜି ଖାଇଥିବା ଲୋକେ ଅସୁସ୍ଥ ହୋଇପଡିଥିବା ଅନୁମାନ କରାଯାଉଛି । ଜିଲ୍ଲା ଚିକିତ୍ସାଳୟର ୩ଟି ରାପିଡ ରେସ୍ପନ୍ସ ଟିମ୍ ଗାଁରେ ପହଂଛି ଚିକିତ୍ସା କରିଛନ୍ତି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସାଲାଇନ, ଇଂଜେକ୍ସନ ଏବଂ ଓଆରଏସ ଦିଆଯାଇଛି । ଗାଁରେ ଆଂଟିଡାଇରିଆଲ ଡ୍ରପ ଘରେଘରେ ବଂଟାଯିବା ପରେ ଏବେ ଲୋକେ ସୁସ୍ଥ ହେଉଛନ୍ତି ।