ଶ୍ରୀମନ୍ଦିର ଖୋଲିବା ପାଇଁ ରାଜି ନାହାନ୍ତି ସରକାର । ହାଇକୋର୍ଟରେ କହିଲେ, ଶ୍ରୀମନ୍ଦିର ଗର୍ଭଗୃହ ଛୋଟ, ତେଣୁ ସଂକ୍ରମଣର ରହିଛି ସମ୍ଭାବନା । ସେପଟେ ୪୫୦ ସେବାୟତ କରୋନା ପଜିଟିଭ୍ ।

302

କନକ ବ୍ୟୁରୋ : ରାଜ୍ୟରେ ଏବେ ଖୋଲିବନି ଧର୍ମାନୁଷ୍ଠାନ । ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସରକାର ମନ୍ଦିର ନଖୋଲିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ଆଜି ସରକାର ଜବାବ ରଖି କହିଛନ୍ତି ଯେ, ମନ୍ଦିରର ଗର୍ଭଗୃହ ବହୁତ ଛୋଟ । ମନ୍ଦିର ଖୋଲିଲେ ସେଠାରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଅଧିକ ରହିଛି । ସେପଟେ ଶ୍ରୀକ୍ଷେତ୍ରରେ ଏଯାଏଁ ୪୫୦ରୁ ଅଧିକ ସେବାୟତ କରୋନା ସଂକ୍ରମିତ ହୋଇଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା ଉପୁଜିଛି ।

ହାଇକୋର୍ଟରେ ପକ୍ଷ ରଖିଲେ ସରକାର । ମନ୍ଦିର ଖୋଲିଲେ ସଂକ୍ରମଣ ବଢିବ । ହାଇକୋର୍ଟରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ଗର୍ଭଗୃହ ଛୋଟ । ଭିତରେ ବହୁତ କମ୍ ସ୍ଥାନ ରହିଛି । ତେଣୁ ମନ୍ଦିର ଖୋଲିଲେ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ଏବଂ ସଂକ୍ରମଣ ବ୍ୟାପିବା ସମ୍ଭାବନା ଅଧିକ । କେବଳ ଶ୍ରୀମନ୍ଦିର ନୁହେଁ, ବର୍ତମାନ ସ୍ଥିତିରେ ରାଜ୍ୟର କୌଣସି ବି ଧର୍ମାନୁଷ୍ଠାନ ଖୋଲିବା ସପକ୍ଷରେ ନାହାନ୍ତି ସରକାର ।ହାଇକୋର୍ଟରେ ଜବାବ ଦାଖଲ କରି ସରକାର ଏହା ମଧ୍ୟ କହିଛନ୍ତି ଯେ, ଧର୍ମାନୁଷ୍ଠାନ ଖୋଲିଲେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହେବ । ତେଣୁ କୋଭିଡ୍ ମହାମାରୀ ସ୍ଥିତିରେ ଗାଁ ଗାଁରେ ସେହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇହେବ ନାହିଁ ।

ଶ୍ରୀକ୍ଷେତ୍ରରେ ଅଣାୟତ୍ତ କରୋନା । ୪୫୦ରୁ ଅଧିକ ସେବାୟତ ପଜିଟିଭ୍ । ଗୋଟିଏ ପଟେ ମନ୍ଦିର ଖୋଲିବାକୁ ବାରମ୍ବାର ଦାବି ହେଉଛି, ଅନ୍ୟପଟେ ପୁରୀରେ ଚିନ୍ତା ବଢାଇଲାଣି ଭୂତାଣୁ ସଂକ୍ରମଣ । ମିଳିଥିବା ସୂଚନା ଅନୁସାରେ ଏଯାଏଁ ୪୫୦ରୁ ଅଧିକ ସେବାୟତ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଶ୍ରୀମନ୍ଦିରର ସେବାପୂଜା ଓ ନୀତିକାନ୍ତିକୁ ନେଇ ଚିନ୍ତା ବଢିଛି ।

ଶ୍ରୀମନ୍ଦିର ସେବାପୂଜା ଓ ନୀତିକାନ୍ତି ପାଇଁ ପ୍ରତିଦିନ ୧୨୦ ଜଣ ସେବାୟତ ଦରକାର । ଏହାମଧ୍ୟରେ ୫୦ ଜଣ ହେଉଛନ୍ତି ପାଳିଆ ସେବାୟତ । ୧୩ ଜଣ ପୂଜାପଣ୍ଡା ସେବାୟତ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ସେବା କରିଥାନ୍ତି । ହେଲେ ଏବେ ୧୦ ଜଣ ପୂଜାପଣ୍ଡା କୋଭିଡ ଆକ୍ରାନ୍ତ ହେବାରୁ ଅନ୍ୟବାଡର ସେବାୟତଙ୍କୁ ଅଣାଯାଇ ନୀତି କରାଯାଉଛି ।

ପୁରୀରେ ସୋମବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ଗତ ୫ ଦିନ ହେଲା ସଂକ୍ରମଣ ସଂଖ୍ୟା ୨ଶହ ପାଖାପାଖି ରହୁଛି । ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି, ଅନ୍ୟପଟେ ସେବାୟତଙ୍କୁ କରୋନା । ଏହାରି ଭିତରେ ଶ୍ରୀମନ୍ଦିର ଖୋଲିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।