କନକ ବ୍ୟୁରୋ : ଛତିଶଗଡରେ ଫୁଟିଛି ପଦ୍ମ । ପୁଣିଥରେ ସରକାର ଗଢିବ ବିଜେପି । ଛତିଶଗଡରେ କଂଗ୍ରେସକୁ ଝଟକା ଲାଗିଥିବା ବେଳେ ବିଜେପି ବିଜୟୀ ବାନା ଉଡାଇଛି । ଏହି ବିଜୟୀ ବିଧାୟକଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି । ରାୟପୁର ଉତ୍ତରରୁ ବିଜେପି ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ୨୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ କୁଳଦୀପ ଜୁନେଜାଙ୍କୁ ମାତ୍ ଦେଇଛନ୍ତି ପୁରେନ୍ଦ୍ର । ପୁରେନ୍ଦ୍ର ଦୀର୍ଘବର୍ଷ ଛତିଶଗଡରେ ବିଜେପି ସଙ୍ଗଠନ ସହ ଜଡିତ ରହିବା ସହ ବିଭିନ୍ନ ଦାୟିତ୍ୱ ତୁଲାଇଛନ୍ତି । ପ୍ରଥମଥର ପାଇଁ ପୁରେନ୍ଦ୍ରଙ୍କୁ ବିଜେପି ଟିକେଟ ଦେଇଥିବା ବେଳେ ବିଜୟୀ ହୋଇ ନିଜର ସାଙ୍ଗଠନିକ ଦକ୍ଷତା ଦେଖାଇଛନ୍ତି ପୁରେନ୍ଦ୍ର ।
ପୁରେନ୍ଦ୍ର ପେଶାରେ ଜଣେ ଓକିଲ । ପଦ୍ମପୁରରେ ପୁରେନ୍ଦ୍ରଙ୍କର ପୈତୃକ ଘର । ଦୀର୍ଘଦିନ ହେବ ରାୟପୁରରେ ବିଜେପିର ସଙ୍ଗଠନ ସହ ଜଡିତ ଥିଲେ ପୁରେନ୍ଦ୍ର । ପ୍ରଥମ ଥର ଜଣେ ଓଡ଼ିଆଙ୍କୁ ଛତିଶଗଡ଼ରେ ପ୍ରାର୍ଥୀ କରିଥିଲା ବିଜେପି । ପୂରା ଛତିଶଗଡ଼ରେ ୩୫ ଲକ୍ଷ ଓଡ଼ିଆ ରହିଥିବା ବେଳେ କେବଳ ରାୟପୁରରେ ୪ ଲକ୍ଷରୁ ଅଧିକ ଓଡ଼ିଆ ରହିଛନ୍ତି । ଛତିଶଗଡ଼ ରାୟପୁରରେ ଜଣାଶୁଣା ଓଡ଼ିଆ ଚେହେରା ତଥା ଛତିଶଗଡ଼ର ସର୍ବ ଓଡ଼ିଆ ସମାଜର ଅଧ୍ୟକ୍ଷ, ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ସଭାପତି ପୁରେନ୍ଦ୍ର ମିଶ୍ର । ଏଥର ଦଳ ରାୟପୁର ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ନିଜେ ବିଜୟୀ ହେବା ସହ ବିଜେପି ଏଥର ପୂର୍ଣ୍ଣ ବହୁମତ ପାଇବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ପୁରେନ୍ଦ୍ର ମିଶ୍ର ।