ଟିକା ପାଇଁ ରାଜ୍ୟ ସରକାରଙ୍କ ପର୍ଚେଜ ଅର୍ଡର । ଦୁଇ କମ୍ପାନିକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଜାଣନ୍ତୁ କେତେ ଅର୍ଡର ହୋଇଛି ଟିକା? 

216

କନକ ବ୍ୟୁରୋ : କରୋନା ରାଜ୍ୟକୁ କଲବଲ କରୁଥିବା ବେଳେ ସଂକ୍ରମଣରେ ବ୍ରେକ ଦେବାକୁ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଏପରିକି ଆସନ୍ତା ମେ ପହିଲାରୁ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦେବା ନେଇ ସରକାର ଘୋଷଣା କରିଛନ୍ତି । ଆଉ ଏଥିପାଇଁ ଟିକା ଉତ୍ପାଦନକାରୀ ସଂସ୍ଥା ଠାରୁ ଟିକା କିଣିବାକୁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ଉଭୟ ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟକୁ  ଏନେଇ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଆସନ୍ତା ୪ ମାସ ପାଇଁ କୋଭିସିଲ୍ଡ ଟିକା ଯୋଗାଇବାକୁ ସେରମ୍ ଇନଷ୍ଟିଚ୍ୟୁଟକୁ ଚିଠି ଲେଖାଯାଇଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ହିସାବ ଅନୁସାରେ ମେ ମାସରେ ୪୦ ଲକ୍ଷ ଟିକା ଏହଂ ପରବର୍ତୀ ତିନି ମାସ ପାଇଁ ମାସ ପିଛା ୬୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ତେଣୁ  ରାଜ୍ୟ ସରକାର ତୁରନ୍ତ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଭାରତ ବାୟୋଟେକ୍ ନିର୍ମିତ କୋଭାକ୍ସିନ ଟିକା କିଣିବା ପାଇଁ ମଧ୍ୟ ଚିଠି ଲେଖାଯାଇଛି । ୬୦୦ ଟଙ୍କା ଲେଖାଏଁ ଦରରେ ୧୦ ଲକ୍ଷ ୩୪ ହଜାର ଡୋଜ୍ ପାଇଁ ପର୍ଚେଜ ଅର୍ଡର ଦିଆଯାଇଛି । ୩୧ ମେ ସୁଦ୍ଧା ୫ ଲକ୍ଷ ଡୋଜ୍ ଏବଂ ୧୫ ଜୁନ୍ ସୁଦ୍ଧା ୫ଲକ୍ଷ ୩୪ ହଜାର ଡୋଜ୍ ଯୋଗାଇବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଏଥିପାଇଁ ୬୨ କୋଟି ୪ଲକ୍ଷ ଟଙ୍କାର ପର୍ଚେଜ ଅର୍ଡର ଦିଆଯାଇଛି ।