ଶେଷ ହେଲା ଜାମିନ୍ ଅବଧି । ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ ମେହେର ।

361

କନକ ବ୍ୟୁରୋ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହୋଇଛନ୍ତି । ୨୮ ତାରିଖ ସକାଳେ ତାଙ୍କ ସର୍ତ୍ତମୂଳକ ଜାମିନ୍ ଅବଧି ‌ଶେଷ ହେଉଥିବାରୁ ସେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହୋଇଥିବା ଜଣାଯାଇଛି । ଏଠାରୁ ତାଙ୍କୁ ପୁଣି ବଲାଙ୍ଗୀର ଜିଲ୍ଲା କାରାଗାରକୁ ‌ନିଆଯିବ ବୋଲି ସୂଚନା ମିଳିଛି ।

ଗତ ୧୦ ତାରିଖ ଦିନ ତାଙ୍କ ମା’ ଇନ୍ଦୁମତୀଙ୍କ ଦେହାନ୍ତ ହୋଇଥିଲା । ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟରେ ଜାମିନ ଆବେଦନ କରି ପୁଞ୍ଜିଲାଲ ୪ଦିନିଆ ସର୍ତ୍ତମୂଳକ ଜାମିନରେ ଆସିଥିଲେ । ଏହି ଅବସରରେ ଶୁଦ୍ଧିକ୍ରିୟା ସହ ମା ଇନ୍ଦୁମତୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଗାୟତ୍ରୀ ଯଜ୍ଞ କରିଥିଲେ । ପାଟଣାଗଡ଼ ରାମପୁରସ୍ଥିତ ତାଙ୍କ ବାସଭବନରେ ସେ ଏହି ଯଜ୍ଞ ଆୟୋଜନ କରିଥିଲେ । ତେଣୁ ଏହା ପୂର୍ବରୁ ସେ ସମସ୍ତ ରୀତିନୀତି ସଂପନ୍ନ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଗତିବିଧିକୁ ନଜର ରଖିବା ପାଇଁ ସାଦା ପୋଷାକଧାରୀ ପୁଲିସ୍ ୨୪ ଘଣ୍ଟା ମୁତୟନ ରହିଥିଲେ ।

ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ଜାମିନରେ ଯିବାକୁ ଆବେଦନ କରିଥିଲେ । ପାଟଣାଗଡ଼ ଏଡିଜେ ଅଦାଲତ ଆବେଦନକୁ ଗ୍ରହଣ କରି ଆଗରୁ ଗୋଟିଏ ଦିନ ପାଇଁ ଜାମିନରେ ଯିବାକୁ ଅନୁମତି ଦେଇଥିଲେ । ଏହାପରେ ସେ ପୁଲିସ୍ ସୁରକ୍ଷା ମଧ୍ୟରେ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ପରେ ପୁଞ୍ଜିଲାଲ ପୁଣି ବଲାଙ୍ଗୀର ଜେଲକୁ ଫେରି ଆସିଥିଲେ । ତେବେ ମା’ଙ୍କୁ ମୁଖାଗ୍ନି ଦେବା ପରେ ପୁଲିସ୍ ତାଙ୍କୁ ପୁଣି ଥରେ ଜେଲ୍ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ସେଠାରେ ସେ କିଛି ସମୟ ପାଇଁ ହଙ୍ଗାମା କରିଥିଲେ ।