ଶଶ୍ମାନରେ ପୋଲିସ ଓ ଗଣମାଧ୍ୟମ ଉପରେ କମ୍ପିଲେ ପୁଞ୍ଜିଲାଲ । କହିଲେ, ମୋ ଭଳି ଶିକ୍ଷିତ ଲୋକକୁ କରାଯାଉଛି ବଦନାମ ।

767

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ୍ ବୋମାର ଖଳନାୟକ ପୁଣି ଥରେ ଖବରର ଶିରୋନାମାକୁ ଫେରିଛନ୍ତି । ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଗୋଟିଏ ଦିନ ପାଇଁ ଜେଲରୁ ଆସିଥିବା ପୁଞ୍ଜିଲାଲ୍ ଶଶ୍ମାନରେ ଏଭଳି ବୋବାଲ୍ କରିଛନ୍ତି, ଯେ ତାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୋଲିସ୍ ଓ ଗଣମାଧ୍ୟମ ଉପରେ ଅଧ୍ୟାପକ ଷ୍ଟାଇଲରେ ବର୍ଷିଛନ୍ତି ପାର୍ସଲ୍ ବୋମାର ଖଳନାୟକ ।

ପୁଣି ଖବରରେ ପୁଞ୍ଜିଲାଲ୍ । ପାରୋଲରେ ଆସି ମାଆଙ୍କ ଶବସତ୍କାର ପାଇ,ଁ ଶ୍ମଶାନରେ ପହଞ୍ଚିବା ବେଳେ ପାର୍ସଲ ବୋମାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ବାରି ହୋଇ ପଡୁଥିଲା । ଆଉ ପୋଲିସକୁ ଦୁଇ ପଦ ଶୁଣାଇଥିଲେ ପୁଞ୍ଜିଲାଲ । ଗୋଟିଏ ଦିନର ପାରୋଲ ମିଳିଛି ତେଣୁ ଏତେ କମ ସମୟରେ କାମ ସାରିବିନି । ମୁଁ ଏଯାଏଁ ଘର ଲୋକଙ୍କ ସହ ମଧ୍ୟ କଥା ହୋଇନାହିଁ । ଖାଲି କଣ ନିଆଁ ଲଗାଇ ଦେଇ ପଳାଇବି ନା କଣ? ଏଭଳି କିଛି କହି ପୋଲିସ ଉପରେ ପ୍ରବଳ ବର୍ଷିଥିଲେ ପୁଞ୍ଜିଲାଲ ।

ସାମାନ୍ୟ ଘଟଣାରେ ରାଗ ରଖି ପାର୍ସଲ ବୋମା ସାହାଯ୍ୟରେ ସହକର୍ମୀ ଅଧ୍ୟାପିକାଙ୍କ ଘରେ ବିସ୍ପୋରଣ ଘଟାଇଥିଲେ ଏହି ମାଷ୍ଟରମାଇଣ୍ଡ । ଯେଉଁଥିରେ ଅଧ୍ୟାପିକାଙ୍କ ନବ ବିବାହିତ ପୁଅଙ୍କ ସହ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ନବବଧୂ ରିମା । କିନ୍ତୁ ପୁଞ୍ଜିଲାଲଙ୍କ ରାଗ ଗଣମାଧ୍ୟମ ଉପରେ । ଗଣମାଧ୍ୟମ ମୋ ବିରୋଧରେ ବାରମ୍ବାର ଖବର ଛାପୁଛି ଏବଂ ମୋ ଭଳି ଶିକ୍ଷିତ ଲୋକକୁ ବଦନାମ କରାଯାଉଛି । ମାଆ ଇନ୍ଦୁମତୀ ମେହେରଙ୍କର ଶୁକ୍ରବାର ମୃତ୍ୟୁ ହେବା ପରେ ପାରୋଲ ପାଇଁ ଆବେଦନ କରିଥିଲେ ପୁଞ୍ଜିଲାଲ । ଏବଂ ଏକମାତ୍ର ପୁଅ ହୋଇଥିବାରୁ ପାଟଣାଗଡ ଏଡିଜେ ତାଙ୍କ ଆବେଦନକୁ ଗ୍ରହଣ କରିଥିଲେ ।