ଟସ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି: ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ

95

କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ପଞ୍ଜାବ । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ଦଳ । ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ତେଣୁ ଆଜି କଡା ଟକ୍କର ଦେଖିବାକୁ ମିଳିବ ।

ଉଭୟ ଦଳ ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ପଞ୍ଜାବ ବିଜୟ ଲାଭ କରିଥିଲା । ହେଲେ ରାଜସ୍ଥାନ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । ପଞ୍ଜାବ ୨୨୧ ରନ କରିଥିଲା ବେଳେ ରାଜସ୍ଥାନ ଏହି ବୃହତ ବିଜୟ ଲକ୍ଷ୍ୟକୁ ପିଛା କରି ୨୧୭ ରନ କରିଥିଲା । ହେଲେ ବିଜୟ ଲକ୍ଷ୍ୟ ହାସଲ କରିପାରିନଥିଲେ ।

ସେହିପରି ଦେଖିବାକୁ ଗଲେ ଉଭୟ ଦଳ ଚଳିତ ଆଇପିଏଲରେ ଏତେ ଖାସ ପ୍ରଦର୍ଶନ କରିପାରିନହାନ୍ତି । ହେଲେ ଏବେ ବି ପ୍ଲ ଅଫରେ ଯିବା ପାଇଁ ଉଭୟ ଦଳଙ୍କ ପାଖରେ ସୁଯୋଗ ରହିଛି । ଏପର୍ୟ୍ୟନ୍ତ ରାଜସ୍ଥାନ ୭ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ୪ଟିରେ ପରାଜୟ ହୋଇ ପଞ୍ଚମ ସ୍ଥାନରେ ରହିଛି । ସେହିପରି ପଞ୍ଜାବ ୮ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାଜିତ ହୋଇ ଷଷ୍ଠ ସ୍ଥାନରେ ରହିଛି ।