ପଞ୍ଜାବରେ ପୁଣି ଦେଖିବାକୁ ମିଳିପାରେ ଆଉ ଏକ ପରିବର୍ତ୍ତନ । ପ୍ରଭାରୀ ପଦରୁ ହଟିପାରନ୍ତି ହରିଶ ରାୱତ ।

121

କନକ ବ୍ୟୁରୋ: ପଞ୍ଜାବରେ ଏବେ ରାଜନୈତିକ ହଟଚମଟ ଜାରି ରହିଛି । ଗୋଟିଏ ପଟେ ସିଦ୍ଧୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାବେଳେ, ଅନ୍ୟପଟେ କ୍ୟାପଟେନ୍ ଅମିରନ୍ଦର ସିଂହ କଂଗ୍ରେସ ଛାଡିବା ପରେ ନୂଆ ଦଳ ଗଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏହାରି ଭିତରେ ପଞ୍ଜାବରେ କଂଗ୍ରେସରେ ପୁଣି ଏକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ପଞ୍ଜାବ କଂଗ୍ରେସ ପ୍ରଭାରୀ ପଦରୁ ହରିଶ ରାୱତଙ୍କୁ ହଟାଇ ଏହି ସ୍ଥାନରେ ଦଳ ହରିଶ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ଦେଇପାରେ ବୋଲି ସୂଚନା ମିଳୁଛି ।

ଗତ ୧୫ ଦିନ ହେଲା ପଞ୍ଜାବ ରାଜନୀତିର ଘଡିକେ ଘୋଡା ଛୁଟୁଛି । ଅନେକ ବାଦ ବିବାଦ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ୍ ଅମିରନ୍ଦର ସିଂହ । ଆଉ ଏହାର କିଛି ଦିନ ପରେ ଚରଣଜିତ ସିଂହ ଚନ୍ନୀ ହୋଇଥିଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ତେବେ ଏହାର କିଛି ଦିନ ପରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅଚାନକ ଇସ୍ତଫା ଦେଇଥିଲେ ନବଜୋତ ସିଂହ ସିଦ୍ଧୁ । ଯାହାକୁ ନେଇ କଂଗ୍ରେସ ହାଇକମାଣ୍ଡ ହରିଶ ରାୱତଙ୍କ ଉପରେ ଖୁସି ନାହାଁନ୍ତି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ବୋଲି କଂଗ୍ରେସ ଶୀର୍ଷ ନେତୃତ୍ୱ ଜାଣିସାରିଛନ୍ତି । ତେଣୁ ତାଙ୍କୁ ପଞ୍ଜାବ ପ୍ରଭାରୀ ପଦରୁ ହଟାଇବା ଏକ ପ୍ରକାର ଚୂଡାନ୍ତ ହୋଇଥିବା ଖବର ଆସୁଛି ।

ଆଉ ଗୋଟିଏ କଥା ହେଉଛି, ଅମିରନ୍ଦରଙ୍କ ଇସ୍ତଫା ପରେ ହରିଶ ରାୱତ ସିଦ୍ଧୁଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଚେହେରା ବୋଲି କହିଥିଲେ । ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଚେହେରା କିଏ ହେବ, ତାହା କଂଗ୍ରେସ ଅଧ୍ୟକ୍ଷ ବା ନବଜୋତ ସିଂହ ସିଦ୍ଧୁ ନିଷ୍ପତ୍ତି ନେବେ । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ, ଏଥର ନିର୍ବାଚନରେ ନବଜୋତ ସିଂହ ସିଦ୍ଧୁ ହିଁ ପଞ୍ଜାବରେ କଂଗ୍ରେସର ନେତୃତ୍ୱ ନେବେ ବୋଲି ସେ କହିଥିଲେ । ରାୱତଙ୍କ ଏହି ବୟାନ ପରେ ବରିଷ୍ଠ ନେତା ସୁନୀଲ ଜାଖଡ ଏହାକୁ ନେଇ ଆପତ୍ତି ଉଠାଇଥିଲେ । ଚନ୍ନୀଙ୍କ ଶପଥ ଗ୍ରହଣ ଦିନ ହରିଶଙ୍କ ଏହି ବୟାନ ଆଶ୍ଚର୍ଯ୍ୟଜନକ । ସେ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବଳ କରି ଦେଉଛନ୍ତି ବୋଲି ସେ କହିଥିଲେ ।