ପଞ୍ଜାବରେ ବିଜୁଳି ସଂକଟ । ହାତରେ ବିଞ୍ଚଣା ଧରି ରାସ୍ତାକୁ ଉହ୍ଲାଇଲା ଅକାଳୀଦଳ, ନିଜ ଦଳ ବିରୋଧରେ ଆଗକୁ ଆସିଲେ ସିଦ୍ଧୁ

113

କନକ ବ୍ୟୁରୋ : ପଞ୍ଜାବରେ ଦେଖାଦେଇଛି ବିଜୁଳି ସଂକଟ । ଏହାକୁ ନେଇ ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେସନ୍ ରାଜ୍ୟର ଶିଳ୍ପସଂସ୍ଥା ମାନଙ୍କୁ ସପ୍ତାହରେ ୨ ଦିନ ଛୁଟି ରଖିବାକୁ ଘୋଷଣା କରିଛି । ରାଜ୍ୟର ଅନେକ ଜିଲ୍ଲାରେ ଦୈନିକ ୧୦-୧୫ ଘଂଟା ବିଜୁଳି କାଟ ହେଉଛି । ବିଜୁଳି ସଂକଟ ଫଳରେ କୃଷକମାନେ ବି କୃଷି କାର୍ଯ୍ୟ କରିପାରୁ ନଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ ସରକାରୀ କାର୍ଯ୍ୟାଳୟରେ କାମ କରିବାର ସମୟ ବି ବଦଳାଇ ଦେଇଛନ୍ତି । ଏବେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳ ୮ ରୁ ଦିନ ୨ ଟା ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ସରକାରୀ କାର୍ଯ୍ୟାଳୟରେ ଏସି ବନ୍ଦ ରହିବ ।

ଏଭଳି ବିଜୁଳି ସଂକଟକୁ ନେଇ ରାସ୍ତାକୁ ଉହ୍ଲାଇଛି ବିରୋଧୀ ଅକାଳୀ ଦଳ । ରାଜ୍ୟର ବିଭିନ୍ନ ସ୍ଥାନରେ ଅକାଳୀଦଳର କର୍ମୀମାନେ ହାତରେ ବିଞ୍ଚଣା ଧରି ରାସ୍ତାରେ ବିକ୍ଷୋଭ କରିଛନ୍ତି ।

ଅନ୍ୟପଟେ ରାଜ୍ୟର ବିଜୁଳି ସଂକଟକୁ ନେଇ ପଞ୍ଜାବ କଂଗ୍ରେସର ବିବାଦୀୟ ନେତା ନବଜାତସିଂ ସିଦ୍ଧୁ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ୱିଟ ଯୋଗେ କହିଛନ୍ତି କି,ଯଦି ଠିକ୍ ଢଙ୍ଗରେ ସରକାର କାମ କରିଥାନ୍ତେ ତେବେ ଏଭଳି ସମୟ ଦେଖିବାକୁ ମିଳିନଥାନ୍ତା । ସେ କହିଛନ୍ତି କି,ସରକାର ଯଦି ବିଜୁଳି ବୁଝାମଣା ଠିକ୍ କରିଥାନ୍ତେ ଓ ପଞ୍ଜାବର ଜନତା କିଭଳି ୨୪ ଘଂଟିଆ ବିଜୁିଳି ପାଇପାରିବେ ତାହା ଉପରେ ପୂର୍ବରୁ ପ୍ରସ୍ତୁତ ରହିଥାନ୍ତେ ତେବେ ଏଭଳି ସଂକଟର ସାମ୍ନା କରିବାକୁ ପଡି ନଥାନ୍ତା ।