କଂଗ୍ରେସରୁ ଇସ୍ତଫା ଆଉ ନୂଆ ଦଳ ଘୋଷଣା ନେଇ ଚର୍ଚ୍ଚାରେ ଅମରିନ୍ଦର ସିଂହ । ସିଦ୍ଧୁ କହିଲେ ଧୋକେବାଜ କ୍ୟାପଟେନ୍ ।

153

କନକ ବ୍ୟୁରୋ : ପଞ୍ଜାବରେ ଘଡିକେ ଛୁଟୁଛି ଘୋଡା । ସିଦ୍ଧୁ, ଚନ୍ନୀ, କ୍ୟାପଟେନ ପଞ୍ଜାବର ଏବେର ୩ ବଡ ଚେହେରା ହେଇଥିବା ବେଳେ କାହାର କାହା ସାଙ୍ଗରେ ନାହିଁ ଜତିପାତ । ଏହାରି ଭିତରେ ପଞ୍ଜାବ ଲୋକ କଂଗ୍ରେସ ନାମରେ ନୂଆ ଦଳ ଗଢିଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ତେବେ ଏହାପରେ ବିବାଦ ପୁଣି ତେଜିଛି । ସୋସିଆଲ ମିଡିଆରେ ଆରମ୍ଭ ହେଇଯାଇଛି ଟୁଇଟ ୱାର ।

କଂଗ୍ରେସ ନାଁରେ ନୂଆ ଦଳର ଘୋଷଣା । ଇସ୍ତଫା ପରେ ବିବାଦରେ କ୍ୟାପଟେନ୍ । ମଙ୍ଗଳବାର କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ନେବା ପରେ ନିଜ ନୂଆ ଦଳର ଘୋଷଣା କରିଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ । ଆଉ ନିଜର ଏହି ନୂଆ ଦଳର ନାମ ପଞ୍ଜାବ ଲୋକ କଂଗ୍ରେସ ଭାବେ ଘୋଷଣା କରିଛନ୍ତି । ଯାହାକୁ ନେଇ ବିବାଦର ସମ୍ମୁଖୀନ ହୋଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ । କ୍ୟାପଟେନଙ୍କ ନୂଆ ଦଳକୁ ଆରମ୍ଭରୁ ହିଁ ଜୋରଦାର ବିରୋଧ କରାଯାଇଛି । ପଂଜାବ କ୍ୟାବିନେଟ ମନ୍ତ୍ରୀ ପରଗତ ସିଂହ କ୍ୟାପଟେନଙ୍କ ନୂଆ ପାର୍ଟିକୁ ଟାର୍ଗେଟ କରିଛନ୍ତି । ଟ୍ୱିଟ କରି ଲେଖିଛନ୍ତି କ୍ୟାପଟେନଙ୍କ ‘ପଂଜାବ ଲୋକ କଂଗ୍ରେସ’ ପାର୍ଟି ନା ‘ପଂଜାବ’ର ନା ‘ଲୋକ’ଙ୍କର ନା ସେ ‘କଂଗ୍ରେସ’ ।

ମଙ୍ଗଳବାର କ୍ୟାପଟେନ ସୋନିଆ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ୭ ପୃଷ୍ଠା ବିଶିଷ୍ଟ ଇସ୍ତଫା ପତ୍ର ଦେଇ ସେଥିରେ ଗାନ୍ଧୀ ପରିବାର, ହରିଶ ରାୱତ, ରାଜ୍ୟର ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାସହ ନିଜର ନୂଆ ଦଳ ପଂଜାବ ଲୋକ କଂଗ୍ରେସର ଘୋଷଣା କରିଥିଲେ କ୍ୟାପଟେନ । ପୂର୍ବରୁ କ୍ୟାପଟେନ ସାମ୍ବାଦିକ ସମ୍ମିଳନୀ କରି ନିଜ ନୂଆ ଦଳ ନେଇ ଘୋଷଣା କରିଥିଲେ । କହିଥିଲେ ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ ସମସ୍ତ ଆସନରୁ ଲଢିବ ତାଙ୍କ ଦଳ । ଆଉ ସିଦ୍ଧୁଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ମଧ୍ୟ ଘୋଷଣା କରିଥିଲେ ।

ନବଜୋତ ସିଂହ ସିଦ୍ଧୁ ଓ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ମଧ୍ୟରେ ବିବାଦ ପାଇଁ ହିଁ ପଂଜାବ ରାଜନୀତିରେ ତୁମ୍ଭି ତୁଫାନ ଦେଖିବାକୁ ମିଳିଛି । ଦୁହିଁ ଭିତରେ ଥିବା କଳି ପାଇଁ ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଇସ୍ତଫା ଦେଇଥିଲେ । ଗୋଟିଏ ଦଳରେ ରହି ପରସ୍ପରକୁ ଦୋଷ ଲଦାଲଦି କରିବା ପରେ ଶେଷରେ କଂଗ୍ରେସରୁ ଇସ୍ତଫା ଦେବା ସହ ନିଜ ନୂଆ ଦଳର ଘୋଷଣା କରିଛନ୍ତି କ୍ୟାପଟେନ ।