ଅଭିଯୋଗ ଘେରରେ କେଜ୍ରିୱାଲ । କୁମାର ବିଶ୍ୱାସଙ୍କ ଅଭିଯୋଗକୁ ଗମ୍ଭୀରତା ସହ ଗ୍ରହଣ କଲା ଗୃହମନ୍ତ୍ରାଳୟ ।

126

କନକ ବ୍ୟୁରୋ : ପଞ୍ଜାବରେ ଭୋଟ ପଡିବା ପୂର୍ବରୁ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆମ ଆଦମୀ ପାର୍ଟି ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ତାଙ୍କର ପୁରୁଣା ସାଥୀ ତଥା ଆପର ପୂର୍ବତନ ନେତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଘଟଣା ଏବେ ପହଞ୍ଚିଛି ଗୃହମନ୍ତ୍ରାଳୟ ନିକଟରେ । ଆପ ନେତା କୁମାର ବିଶ୍ୱାସଙ୍କ ଅଭିଯୋଗକୁ ଗମ୍ଭୀରତା ସହ ଗ୍ରହଣ କରି ଏବେ ଆକ୍ସନ ମୁଡରେ ଗୃହମନ୍ତ୍ରାଳୟ । ଶୁକ୍ରବାର ଏନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତା ବୈଠକ ବସିଥିଲା । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଚିଠିରେ ଉତ୍ତର ଦେଇଛନ୍ତି ଅମିତ ଶାହା । ଆଇବିର ସୂଚନା ପରେ କୁମାର ବିଶ୍ୱାସଙ୍କୁ ୱାଇଶ୍ରେଣୀର ସୁରକ୍ଷା ପ୍ରଦାନ କରିଛି ଗୃହମନ୍ତ୍ରାଳୟ ।

ଅଭିଯୋଗ ଘେରରେ କେଜ୍ରିୱାଲ । ଆକ୍ସନ ମୁଡରେ ଗୃହ ମନ୍ତ୍ରାଳୟ । ଖଲିସ୍ତାନୀ ସପକ୍ଷବାଦୀ ଶିଖ ଫର ଜଷ୍ଟିସ ସଂଗଠନ ସହ ଆମ ଆଦମୀ ପାର୍ଟିର ସମ୍ପର୍କ ଥିିବା ଅଭିଯୋଗ ଆସିବା ପରେ ଏବେ ଏହାକୁ ଗମ୍ଭୀରତା ସହ ଗ୍ରହଣ କରିଛି ଗୃହମନ୍ତ୍ରାଳୟ । ଶୁକ୍ରବାର ଏନେଇ ଗୃହମନ୍ତ୍ରାଳୟ ବସିଥିଲା ଜରୁରୀ ବୈଠକ । ଆପର ମୁଖିଆଙ୍କ ଉପରେ ଦଳର ପୂର୍ବତନ ନେତା କୁମାର ବିଶ୍ୱାସ ସଂଗୀନ ଅଭିଯୋଗ ଆଣିଥିଲେ । ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ବିଶ୍ୱାସ । ଯାହା ଉପରେ ତଦନ୍ତ ଆରମ୍ଭ କରିପାରେ ଗୃହମନ୍ତ୍ରାଳୟ ।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ମାମଲାରେ ହସ୍ତକ୍ଷେପ ଦାବି କରିଥିବାବେଳେ ଆମ ଆଦମୀ ପାର୍ଟି ଓ ଖଲିସ୍ତାନୀ ସଂଗଠନ ମଧ୍ୟରେ କି ସମ୍ପର୍କ ରହିଛି? କ’ଣ କ’ଣ କଥାବାର୍ତ୍ତା ହୋଇଛି ଏହାର ଯାଞ୍ଚ ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଏହାର ଜବାବରେ ଚିଠି ମାଧ୍ୟମରେ ଉତ୍ତର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଚିଠିରେ ଶାହା ଲେଖିଛନ୍ତି, ଗୋଟିଏ ରାଜନୈତିକ ଦଳ ଦେଶ ବିରୋଧୀ, ବିଚ୍ଛିନତାବାଦୀ ଓ କଟକଣା ଲଗାଯାଇଥିବା ସଂସ୍ଥା ସହ ସମ୍ପର୍କ ରଖିବା ଅନୁଚିତ । ନିର୍ବାଚନରେ ସାହାଯ୍ୟ ଗ୍ରହଣ କରିବା ଦେଶର ଏକତା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗମ୍ଭୀର ଘଟଣା । ଦେଶର ଏକତା ଭଙ୍ଗ କରିବା ପାଇଁ କାହାକୁ ପ୍ରଶୟ ଦିଆଯିବନି । ଏହି ପ୍ରସଙ୍ଗକୁ ଭାରତ ସରକାର ଗମ୍ଭୀରତା ସହ ଗ୍ରହଣ କରିଛନ୍ତି । ବ୍ୟକ୍ତିଗତଭାବେ ମାମଲାରୁ ସେ ଅନୁଧ୍ୟାନ କରୁଛନ୍ତି । ଶାହା ଚନ୍ନୀଙ୍କୁ ଚିଠି ଲେଖି ଆଶ୍ୱସନା ଦେବା ପରେ ଏବେ କୌଣସି ମୁହୁର୍ତରେ ବିଶ୍ୱାସଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ହୋଇପାରେ । ସେପଟେ ବିଶ୍ୱାସ ଓ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଆମ ଆଦମୀ ପାର୍ଟି ।

କିଛି ଦିନ ପୂର୍ବରୁ ଆପର ପୂର୍ବତନ ନେତା କୁମାର ବିଶ୍ୱାସ କେଜ୍ରିୱାଲଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ । ପଞ୍ଜାବର ମୁଖ୍ୟମନ୍ତ୍ରୀ କିମ୍ବା ସ୍ୱତନ୍ତ୍ର ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ପାଇଁ କେଜ୍ରିୱାଲ ତାଙ୍କ ସମ୍ମୁଖରେ କହିଥିବା ବିଶ୍ୱାସ ଅଭିଯୋଗ ଆଣିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି କେଜ୍ରିୱାଲ । ଦୁନୀର୍ତିଗସ୍ତ ଦଳ ଆମ ଆଦମୀ ପାର୍ଟି ବିପକ୍ଷରେ ଏକାଠି ହୋଇଛନ୍ତି । ନିର୍ବାଚନ ପରାଜୟ ଏମାନଙ୍କୁ ଘାରିଛି । ତେଣୁ ପଞ୍ଜାବରେ ଆପର ଲୋକପ୍ରିୟତା କମ କରିବା ପାଇଁ ବିରୋଧୀଙ୍କ ଏହା ଏକ ବଡ ଚାଲ ବୋଲି ସେ କହିଛନ୍ତି ।