କନକ ବ୍ୟୁରୋ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ରାଲିକୁ ବିରୋଧ କରୁଥିବା ବିଡିଏ ଟିଇଟି ଯୋଗ୍ୟ ଶିକ୍ଷକମାନଙ୍କୁ ପୁଲିସର ଦବଙ୍ଗଗିରିର ଶିକାର ହେବାକୁ ପଡ଼ିଛି। ପଞ୍ଜାବର ସଙ୍ଗରୁରରେ ପୁଲିସ ବିରୋଧ ପ୍ରଦର୍ଶନ କରୁଥିବା ମହିଳାମାନଙ୍କ ମୁହଁରେ କପଡ଼ା ପୁରାଇ ବନ୍ଦ କରି ଟାଣିଟାଣି ଜିପରେ ବସାଇ ପୁଲିସ ଷ୍ଟେସନକୁ ନେଇଥିଲା।

Advertisment

ପୁରା ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମହିଳା ପୁଲିସ ମହିଳା/ଯୁବତୀମାନଙ୍କ ମୁହଁକୁ ଏକ କପଡ଼ାରେ ଦବାଇଥିବାର ଦେଖିବାକୁ ମିଳୁଛି। ଭିଡିଓରେ ଶୁଣିବାକୁ ‌ଓ ଦେଖିବାକୁ ମିଳୁଛି କି, ଶିକ୍ଷକମାନେ ସିଏମ୍ ଚନ୍ନିଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି ଏବଂ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି। ସିଏମ୍ ଚନ୍ନିଙ୍କ ବିରୋଧରେ ସ୍ଲୋଗାନ ଦେବା ବନ୍ଦ କରିବା ପାଇଁ ମହିଳା ପୁଲିସ ଜଣେ ମହିଳାଙ୍କ ପାଟିରେ କପଡା ପୂରାଇ ଚୁପ କରୁଥିବା ନଜରକୁ ଆସିଛି।

ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ମେଡିକାଲ କଲେଜ ବ୍ୟତୀତ ୭୦୦ କୋଟି ଟଙ୍କାର ସିମେଣ୍ଟ କାରଖାନାର ନିର୍ମିତ ପାଇଁ ମୂଳଦୁଆ ପକାଇବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ମଧ୍ୟ ଏହି ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।

ଏହି ପ୍ରତିବାଦ ସମୟରେ ପୁଲିସ ପ୍ରଦର୍ଶନକାରୀଙ୍କୁ ଟାଣିଟାଣି ନେଉଥିବାର ଦୃଶ୍ୟ ନଜରକୁ ଆସିଛି। ଯେଉଁଥିରେ ଉଭୟ ମହିଳା ଓ ଯୁବତୀ ସାମିଲ ରହିଛନ୍ତି। ପୁଲିସ ପ୍ରଦର୍ଶନକାରୀଙ୍କୁ ଟାଣି ନେଇ ବସ୍ ଭିତ‌ରେ ବସାଇ ଦେଇଥିଲା। ଏହା ପରେ ତାଙ୍କୁ ପୁଲିସ ଷ୍ଟେସନକୁ ନିଆଯାଇଥିଲା।