ଅମୃତପାଲଙ୍କ ଘନିଷ୍ଠ ସହଯୋଗୀ ପପ୍ପଲପ୍ରୀତଙ୍କୁ ଗିରଫ କଲା ପୋଲିସ । ଏବେ ଅମୃତପାଲଙ୍କୁ ଖୋଜୁଛି ପୋଲିସ ।

103

କନକ ବ୍ୟୁରୋ : ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଅତି ଘନିଷ୍ଠ ପପ୍ପଲପ୍ରୀତ ସିଂଙ୍କୁ ଗିରଫ କରିଛି ପୋଲିସ । ପଞ୍ଜାବ ଓ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଅଭିଯାନ ବଳରେ ପଞ୍ଜାବର ହୋସିଆରପୁରରେ ପପ୍ପଲପ୍ରୀତଙ୍କୁ ଗିରଫ କରାଯାଇଛି । ପଞ୍ଜାବରୁ ଦିଲ୍ଲୀ ଆଡକୁ ଯାତ୍ରା କରିବା ସମୟରେ ପପ୍ପଲପ୍ରୀତଙ୍କୁ ଧରିଛନ୍ତି ଉଭୟ ରାଜ୍ୟର ପୋଲିସ ।

ଅମୃତପାଲ ସିଂ ଫେରାର ହେବା ପରେ ପପ୍ପଲପ୍ରୀତଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା । ସୋସିଆଲ ମିଡ଼ିଆରେ ଯାହାର ଫଟୋ ଭାଇରାଲ ହୋଇଥିଲା । ଏଥିରେ ଅମୃତପାଲ ଜ୍ୟାକେଟ ପିନ୍ଧିଥିବା ବେଳେ ଫିକା ଲାଲ ରଙ୍ଗର ପଗଡି ଓ କଳା ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଆଉ ଅମୃତପାଲଙ୍କ ସହ ପପ୍ପଲପ୍ରୀତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ପପ୍ପଲପ୍ରୀତଙ୍କୁ ଅମୃତପାଲଙ୍କ ଗୁରୁ ବୋଲି କୁହାଯାଏ । ଏପରିକି ଅମୃତପାଲଙ୍କୁ ଫେରାର କରିବା ପଛରେ ପପ୍ପଲପ୍ରୀତଙ୍କର ବଡ ଭୂମିକା ମଧ୍ୟ ରହିଛି । ଏପରିକି ପପ୍ପଲପ୍ରୀତ୍ ଆଇଏସଆଇ ସହ ସମ୍ପର୍କରେ ଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ପପ୍ପଲପ୍ରୀତଙ୍କୁ ଗିରଫ କରିବା ପୋଲିସ ପାଇଁ ବଡ ସଫଳତା ବୋଲି କୁହାଯାଉଛି । ପପ୍ପଲପ୍ରୀତ ନିଜକୁ ସାମ୍ବାଦିକ ସହ ସମାଜସେବୀ ବୋଲି କହି ଆସୁଥିଲା । କିନ୍ତୁ ବାସ୍ତବରେ ପପ୍ପଲପ୍ରୀତ ଖଲିସ୍ତାନକୁ ସମର୍ଥନ କରୁଥିବା କିଛି ୱେବସାଇଟ ଚଲାଉଥିଲା ବୋଲି ଯାଞ୍ଚ ଏଜେନ୍ସିକୁ ସୂଚନା ମିଳିଛି । ଏହାପୂର୍ବରୁ ପପ୍ପଲପ୍ରୀତଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।