କନକ ବ୍ୟୁରୋ : ଓଡିଶା ରାସ୍ତାରେ ପଞ୍ଜାବ । ଜୁନ୍ ୧ ତାରିଖରୁ ସାରାଦେଶରେ ଅନଲକ-୧ ଆରମ୍ଭ ହୋଇଥିବାବେଳେ ଆମ ରାଜ୍ୟରେ ଜୁନ୍ ୩୦ ତାରିଖ ଯାଏଁ ଲକଡାଉନ୍ କଟକଣା ଜାରି ରହିଛି । ଏପରିକି ୧୧ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇଦିନ ସଟଡାଉନ ଘୋଷଣା କରାଯାଇଛି । ଏବେ ସମାନ ଢଙ୍ଗରେ ନିଷ୍ପତି କରିଛନ୍ତି ପଞ୍ଜାବ ସରକାର । ହେଲେ ଏଠାରେ ବେକଳ ରବିବାର ସଟଡାଉନ ଘୋଷଣା କରାଯାଇଥିବାବେଳେ ଶନିବାର ଲକଡାଉନ କଟକଣାକୁ ଅଧିକ କଡାକଡି କରାଯାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଫଳରେ ଏଣିକି ପଞ୍ଜାର ସମସ୍ତ ଜିଲ୍ଲାରେ ରବିବାର କେବଳ ଜରୁରୀ ସେବାକୁ ବାଦଦେଇ ଅନ୍ୟାନ୍ୟ କାରବାର ବନ୍ଦ ରହିବ ।
ସେହିପରି ଶନିବାର କେବଳ ଅପରାହ୍ନ ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ସପ୍ତାହର ଅନ୍ୟ ଦିନଗୁଡିକରେ କେବଳ ସଂଧ୍ୟା ୭ରୁ ସକାଳ ୫ ଯାଏଁ କଟକଣା ରହିବ । ରେଷ୍ଟୁରାଂଟ ଓ ମଦ ଦୋକାନ ରାତି ୮ଟା ଯାଏଁ ଖୋଲା ରହିବ । କିନ୍ତୁ ଏଠାରୁ ଗ୍ରାହକ କେବଳ ସାମଗ୍ରୀ ଘରକୁ ନେଇପାରିବେ । ଅର୍ଥାତ ରେଷ୍ଟୁରାଂଟରେ ବସି ଖାଇପାରିବେ ନାହିଁ କିମ୍ବା ମଦ ଦୋକାନରେ ମଦ ପିଇ ପାରିବେ ନାହିଁ । ଏହାବାଦ ଜିଲ୍ଲା ପ୍ରଶାସନ ଚାହିଁଲେ ସପ୍ତାହର ଅନ୍ୟଦିନରେ ମଧ୍ୟ କଟକଣା ଲଗାଇ ପାରିବେ ବୋଲି କୁହାଯାଇଛି ।