ଏହି ରୋଗର ରାମବାଣ ସାଜିଛି ଛେଳୀ କ୍ଷୀର, ପଞ୍ଜାବରେ ପ୍ରତି ଲିଟରର ଦାମ ଜାଣିଲେ ହୋଇଯିବେ ଚକିତ

235

କନକ ବ୍ୟୁରୋ : ପଞ୍ଜାବରେ ଏବେ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି । ଏହି କାରଣରୁ ଏବେ ସେଠାରେ ଛେଳୀକ୍ଷୀର ଦାମ ଆକାଶଛୁଆଁ ହୋଇଛି । ପଞ୍ଜାବର ଅନେକ ଅଞ୍ଚଳରେ ଏବେ ଛେଳୀକ୍ଷୀରର ଦାମ ଲିଟର ପ୍ରତି ୪୦ ଟଙ୍କାରୁ ବୃଦ୍ଧି ପାଇ ୫୦୦ ଟଙ୍କାରେ ପହଂଚିସାରିଛି । ଛେଳୀକ୍ଷୀର ଡେଙ୍ଗୁରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବାରୁ ଏଭଳି ଦରବୃଦ୍ଧି ହୋଇଥିବା କୁହାଯାଇଛି । ଅନ୍ୟପଟେ ବିିଶେଷଜ୍ଞମାନେ ଡେଙ୍ଗୁରୋଗୀଙ୍କ ପାଇଁ ଛେଳୀକ୍ଷୀର ବ୍ୟବହାରକୁ ଅଗ୍ରାହ୍ୟ କରିଦେଇଛନ୍ତି ।

ଇଂଗ୍ରାଜୀ ଖବର କାଗଜ ‘ଦ ଟ୍ୟୁନ୍’ ର ରିପୋର୍ଟ ମୁତାବକ ପଞ୍ଜାବରେ ଛେଳୀକ୍ଷୀ, ଗିଲୋଇ ଜୁସ୍ ଓ କିୱି ଫଳର ଦାମ ଆଶାତୀତ ଭାବେ ବୃଦ୍ଧି ପାଇଛି । ଡେଙ୍ଗୁ ସଂକ୍ରମଣ ବଢିବା ସହ ଏହିସବୁ ଖାଦ୍ୟପଦାର୍ଥର ଦାମ ବି ବଢିବାରେ ଲାଗିଛି ।

ଏବେ ପଞ୍ଜାବରେ ସବୁଠାରୁ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି । ରାଜ୍ୟରେ ୧୪.୫୦୦ ଲୋକ ଏବେ ଡେଙ୍ଗୁରେ ସଂକ୍ରମିତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ ଡେଙ୍ଗୁରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।

ଜଣେ ଛେଳିଚାଷୀଙ୍କ କହିବା ମୁତାବକ କିଛିଦିନ ପୂର୍ବରୁ ରାଜ୍ୟରେ ଛେଳୀକ୍ଷୀର ୧୫୦ ପ୍ରତି ଲିଟର ବିକ୍ରି କରାଯାଉଥିବା ବେଳେ ଏବେ ୩୦୦ ମିଲି ଲିଟର କ୍ଷୀରର ଦାମ ୧୫୦ ଟଙ୍କାରେ ବିକ୍ରି କରାଯାଉଛି ।  ସେପଟେ ବିଶେଷଜ୍ଞଙ୍କ ମତରେ ଡେଙ୍ଗୁରୋଗ ଛେଳୀକ୍ଷୀର ପିଇବା ଦ୍ୱାରା ସୁସ୍ଥ ହେବାକଥା ଏକ ଭୁଲ ଧାରଣା । ଏହା ବିଜ୍ଞାନ ସମ୍ମତ ନୁହେଁ । ହେଲେ କିଛି ଲୋକଙ୍କ ଅପପ୍ରଚାର ଯୋଗୁଁ ରାଜ୍ୟରେ ଛେଳୀକ୍ଷରର ଦାମ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।