ଓଡିଶା ସରକାରଙ୍କ ରାସ୍ତାରେ ପଞ୍ଜାବ । ମେ’ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିଷ୍ପତି, ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ତାଲାବନ୍ଦ ଅବଧି ବଢ଼ାଇଲା ପଞ୍ଜାବ ।

761

କନକ ବ୍ୟୁରୋ: ପଞ୍ଜାବ ସରକାର ଆଜି ରାଜ୍ୟରେ ଚାଲିଥିବା ଲକଡାଉନ ସମୟକୁ ମେ ୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଲକଡାଉନ ସମୟ ବଢାଇବାରେ ପଞ୍ଜାବ ଦେଶର ୨ୟ ରାଜ୍ୟ । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଶଙ୍କା ପ୍ରକଟ କରିଥିଲେ ଯେ ପଞ୍ଜାବରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ଏହାକୁ ଖଣ୍ଡନ କରିଛନ୍ତି । ଆଗକୁ ପଞ୍ଜାବରେ ଗହମ ଅମଳ ସମୟ ଆସୁଥିବାରୁ ମଣ୍ଡିଗୁଡ଼ିକରେ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି । ଏହାକୁ ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଆଜି ରାଜ୍ୟ କ୍ୟାବିନେଟର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗତକାଲି ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ଲକଡାଉନ ସମୟକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ଏହା ସହିତ ଦେଶବ୍ୟାପୀ ଲକଡାଉନ ବଢାଇବାକୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ସେହିପରି ଆଉ କେତେକ ରାଜ୍ୟ ଯଥା ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ,ତାମିଲନାଡୁ ମଧ୍ୟ ଲକଡାଉନ ବଢାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ଏହି ବୈଠକରେ ଲକଡାଉନ ଅବଧି ବଢାଯିବା ସମ୍ପର୍କରେ ନିଷ୍ପତ୍ତି ହୋଇପାରେ ।