କନକ ବ୍ୟୁରୋ: କୃଷକଙ୍କ ଆନ୍ଦୋଳନ ମଧ୍ୟରେ ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି , କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା କୃଷକ ଶୁଭକରନ ସିଂହଙ୍କ ପରିବାରକୁ ସେ ୧କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବେ। ଏହା ବ୍ୟତୀତ ଚାଷୀଙ୍କ ସାନ ଭଉଣୀକୁ ମଧ୍ୟ ସରକାରୀ ଚାକିରି ଦିଆଯିବ। ଏହାସହ ଅପରାଧୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ସୂଚନା ମୁତାବକ, ପଞ୍ଜାବ-ହରିୟାଣା ସୀମାରେ ଗତ ୧୦ଦିନ ଧରି ଏମଏସପି ତଥା ଅନ୍ୟାନ୍ୟ ଦାବି ଉପରେ କୃଷକମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ଏହି ଆନ୍ଦୋଳନ ସମୟରେ ଶୁଭକରନଙ୍କ ମୃତ୍ୟୁ ହୋଇଥିଲା। କୃଷକମାନେ ଦାବି କରିଥିଲେ ଯେ, ପୂର୍ବରୁ ହୋଇଥିବା ଆନ୍ଦୋଳନରେ ଶୁଭକରନ୍ ସାମିଲ ହୋଇଥିବା ବେଳେ ଏବେ ସେ ନିଜ କୃଷକ ଭାଇମାନଙ୍କୁ ସମର୍ଥନ କରିବା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ। ବୁଧବାର ସେ ଅନ୍ୟମାନଙ୍କ ସହାୟତାରେ ସମସ୍ତଙ୍କ ପାଇଁ ସକାଳ ଖାଦ୍ୟ ତିଆରି କରି ସମସ୍ତଙ୍କୁ ମିଶିକି ଖାଇବାକୁ କହିଥିଲେ। ପରେ ପୁଲିସ ସହ କୃଷକମାନେ ମୁହାଁମୁହିଁ ହେବାରୁ ପୁଲିସ ମାଡ଼ରେ ଶୁଭକରନଙ୍କ ମୃତ୍ୟୁ ହୋଇଥିଲା।