ପଟିଆଲା ହିଂସାର ପରେ ଆକ୍ସନ ମୋଡରେ ପଂଜାବ ସରକାର: ବିପତିର ଆକଳନ କରି ସହରରେ ବନ୍ଦ ହେଲା ଇଂଟରନେଟ ସେବା

118

କନକ ବ୍ୟୁରୋ: ଶୁକ୍ରବାର ମଧ୍ୟାହ୍ନରେ ହଠାତ ବଦଳିଯାଇଥିଲା ପଂଜାବ ପଟିଆଲା ସହରର ଚିତ୍ର । ମଝି ରାସ୍ତାରେ କିଏ ଖଣ୍ଡା ଧରି ବୁଲୁଥିଲା ତ ପୁଣି କିଏ ପଥରମାଡ କରୁଥିଲା । ସବୁଠି ଖଲିସ୍ତାନୀ ସଂଗଠନ ସମର୍ଥନରେ ଶୁଭୁଥିଲା ନାରା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା ଉତେଜନାପୂର୍ଣ୍ଣ ସଂର୍ଘଷ । ପଟିଆଲା ରାସ୍ତାରେ ମୁହାଁମୁହିଁ ହୋଇଥିଲେ ଶିବସେନା କର୍ମୀ ଓ ଖଲିସ୍ତାନୀ ସମର୍ଥକ । ହିଂସା ଘଟଣା ପରେ ଏବେ ଆକ୍ସନ ମୁଡରେ ଆସିଛନ୍ତି ପଂଜାବ ସରକାର । ରାଜ୍ୟ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି କରିଛନ୍ତି । ସେପଟେ ପଂଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ଘଟଣାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ କରି ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ସହରରେ ଇଂଟରନେଟ ସେବା ଅସ୍ଥାୟୀଭାବେ ବନ୍ଦ କରାଯାଇଛି । ସ୍ଥିତିରେ ସୁଧାର ଆଣିବାକୁ ପୁଲିସ ଓ ପ୍ରଶାସନ ମଧ୍ୟ ବୈଠକ ବସିଛି । ଘଟଣାକୁ ନେଇ ଶନିବାର ହିନ୍ଦୁ ସଂଗଠନ ପଟିଆଲରେ ବନ୍ଦ ଡାକରା ଦେଇଛି । ସେପଟେ ରାଷ୍ଟ୍ରୀୟ ସଂଖ୍ୟାଲଘୁ କମିଶନ ପଂଜାବ ସରକାରଙ୍କଠୁ ଘଟଣା ବାବଦରେ ଜବାବ ମାଗିଛନ୍ତି । ହିଂସା ଘଟଣାରେ ଆମ ଆଦମୀ ପାର୍ଟି କହିଛି ଯେ ଏହା ଦୁଇ ଗୋଷ୍ଠୀ ମଧ୍ୟରେ ନୁହେଁ ବଂର ଦୁଇ ରାଜନୈତିକ ଦଳର ଭିତର ସଂର୍ଘଷ ଥିଲା ।

ଘଟଣାକୁ ନେଇ ସବୁଠୁ ବଡ ପ୍ରଶ୍ନ ମଧ୍ୟ ଉଠୁଛି । ପଂଜାବରେ କେଉଁଠୁ ଏତେ ସଂଖ୍ୟକ ଖଲିସ୍ତାନୀ ସମର୍ଥକ ଆସିଲେ? ହିଂସା ପଛରେ ଆତଙ୍କବାଦୀ ସମର୍ଥିତ ସଂଗଠନ ଶିଖ୍ ଫର ଜଷ୍ଟିସର ହାତ ରହିଛି କି? ପଂଜାବର ମାହୋଲକୁ ଅଶାନ୍ତ କରିବା ପାଇଁ ଏହା ଏକ ଷଡଯନ୍ତ୍ର ଥିଲା କି?